ନୂଆଦିଲ୍ଲୀ ୧୪/୧୨: ସୌରମଣ୍ଡଳର ସର୍ବବୃହତ ଗ୍ରହ ବୃହସ୍ପତିରେ ଅଗ୍ନି ଉଦ୍‌ଗୀରଣ । ଗ୍ରହର ୩ୟ ସବୁଠୁ ବଡ଼ ଚନ୍ଦ୍ର ଆଇଓରେ ଅଗ୍ନି ଉଦ୍‌ଗିରଣ ହୋଇଛି । ଆମେରିକୀୟ ମହାକାଶ ଏଜେନ୍ସି ନାସା ବିସ୍ଫୋରଣର ଭିଡିଓ ଜାରି କରିଛି । ଜୁନୋ ମିଶନ୍‌ର ମହାକାଶଯାନ ଜରିଆରେ ନାସା ଏହି ଭିଡିଓ ରେକର୍ଡ କରିଛି । ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ୍‌ କରିଛି । ଭିଡିଓରେ ଚନ୍ଦ୍ର ଆଇଓର ପୃଷ୍ଠରୁ ଲାଭା ନିର୍ଗତ ହେଉଥିବା ଦେଖିବାକୁ ମିଳିଛି । ଆଇଓକୁ ଆମ ସୌରମଣ୍ଡଳର ସର୍ବାଧିକ ସକ୍ରିୟ ଆଗ୍ନେୟଗିରିଯୁକ୍ତ ଚନ୍ଦ୍ର ବୋଲି କୁହାଯାଏ । ଏହାର ପୃଷ୍ଠରେ ୪୦୦ରୁ ଅଧିକ ସକ୍ରିୟ ଆଗ୍ନେୟଗିରି ରହିଛି । ସେଥିରେ ନିରନ୍ତର ବିସ୍ଫୋରଣ ଓ ଲାଭା ନିର୍ଗତ ହେଉଛି । 

ନାସାର ଜୁନୋ ମିଶନ୍‌ର ଅଧ୍ୟୟନରୁ ଆଇଓରେ ଘଟୁଥିବା ଆଗ୍ନେଗିରି ଉଦ୍‌ଗୀରଣ ଗତିବିଧିର ୪୪ ବର୍ଷ ପୁରୁଣା ରହସ୍ୟକୁ ବୁଝିବା ସହଜ ହୋଇଛି । ଆଇଓରେ ଅଗ୍ନି ଉଦ୍‌ଗୀରଣର ପ୍ରଥମ ଫଟୋ ୧୯୭୯ ମସିହାରେ ଉତ୍ତୋଳନ କରାଯାଇଥିଲା । ଏଠାରେ ତରଳ ଲାଭାପୂର୍ଣ୍ଣ ଅନେକ ପୋଖରି ରହିଛି । ଆଇଓରେ ବିସ୍ଫୋରଣ ହେଉଥିବା ଲାଭା ମାଗ୍‌ମା ସାଗର ବଦଳରେ ମାଗ୍‌ମା ଚାମ୍ବର୍‌ରୁ ନିର୍ଗତ ହେଉଛି । ପୃଷ୍ଠରେ ଆଗ୍ନେୟଗିରି ବିସ୍ଫୋରଣ ଯୋଗୁ ଚନ୍ଦ୍ରର ଆକାର ସର୍ବଦା ବଦଳେ । ବୈଜ୍ଞାନିକ ଗାଲିଲିଓ ଗାଲିଲି ୧୬୧୦ ମସିହାରେ ଆଇଓକୁ ଆବିଷ୍କାର କରିଥିଲେ । ତେବେ ଏଥିରେ ସକ୍ରିୟ ଆଗ୍ନେୟଗିରି ବିଷୟରେ ୧୯୭୯ ମସିହାରେ ବୈଜ୍ଞାନିକ ଲିଣ୍ଡା ଏ. ମୋରାବିତୋ ଜାଣିବାକୁ ପାଇଲେ । 

ଜୁନୋ ମିଶନର ପ୍ରମୁଖ ଗବେଷକ ସ୍କଟ୍‌ ବୋଲ୍ଟନ୍‌ କହିଛନ୍ତି, ଆଇଓର ପୃଷ୍ଠରୁ ଲାଭା କେମିତି ନିର୍ଗତ ହେଉଛି, ତାହା ଲିଣ୍ଡାଙ୍କ ଆବିଷ୍କାର ପରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କଲେ । ୧୯୯୭ ମସିହାରେ ନାସାର ମହାକାଶଯାନ ଭୋୟଜର-୧ ଆଇଓର ଆଗ୍ନେୟଗିରିରୁ ନିର୍ଗତ ଲାଭାର ଚିତ୍ର ଉତ୍ତୋଳନ କରିଥିଲା । ଆଇଓ ବୃହସ୍ପତିକୁ ଅଣ୍ଡାକାର କକ୍ଷରେ ପରିକ୍ରମା କରୁଛି । ବୃହସ୍ପତିର ମାଧ୍ୟାକର୍ଷଣ ଯୋଗୁ ଏହା ଉପରେ ଚାପ ପଡୁଛି । ସେଥିପାଇଁ ଏହାର ଆକାର ସଙ୍କୁଚିତ ହେଉଛି । ସଙ୍କୋଚନ ଯୋଗୁ ଏହା ଭିତରେ ଉଷ୍ଣତା ବୃଦ୍ଧି ପାଉଛି ଓ ଆଭ୍ୟନ୍ତର ପରସ୍ତ ଉପରେ ଚାପ ବଢୁଛି । ଫଳରେ ଭିତରେ ଚଟାଣ ତରଳିବା ଯୋଗୁ ଲାଭା ସୃଷ୍ଟି ହେଉଛି । ଏହି ଲାଭା ଜ୍ୱାଳାମୁଖୀ ରୂପେ ପୃଷ୍ଠରେ ବିସ୍ଫୋରଣ ହେଉଛି ।