ଫିଲିପାଇନ୍ସ, ୧୦/୧୨ : ଫିଲିପାଇନ୍ସର ଭୟଙ୍କର ଜ୍ଵାଳାମୁଖୀ ବିସ୍ଫୋରଣ। ସୋମବାର ଦ୍ଵିପ୍ରହରରେ କନଲାଓନ ଜ୍ଵାଳାମୁଖୀ ହଠାତ୍ ସକ୍ରିୟ ହୋଇପଡିଥିଲା। ଜ୍ଵାଳାମୁଖୀରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଜ୍ଵାଳାମୁଖୀରୁ ନିର୍ଗତ ହେଉଥିବା ନିଆଁ ଝୁଲ ୩ ହଜାର ମିଟର ପର୍ଯ୍ୟନ୍ତ ଉପରକୁ ଉଠିଆସିଥିଲା। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହାପରେ ଫିଲିପାଇନ୍ସର ନାଗରିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ୮୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। 

ସୂଚନାନୁଯାୟୀ, ଜ୍ଵାଳାମୁଖୀର ଆଖପାଖ ଅଞ୍ଚଳକୁ ଏବେ ଖାଲି କରିଦିଆଯାଇଛି। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭଲକାନୋଲୋଜି ଆଣ୍ଡ୍ ସିସ୍ମୋଲୋଜି ପକ୍ଷରୁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଅର୍ଥାତ୍ ଯେକୌଣସି ମୁହୂର୍ତ୍ତରେ ଜ୍ଵାଳାମୁଖୀ ବିସ୍ଫୋରଣ ଅଧିକରୁ ଅଧିକ ବିପଦଜ୍ଜନକ ହୋଇପାରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଜ୍ଵାଳାମୁଖୀ ଯେକୌଣସି ସମୟରେ ହାଇଏଷ୍ଟ ପିକ୍ ପଏଣ୍ଟ ଛୁଇଁପାରେ। 

ନିଗ୍ରୋସ ଦ୍ଵୀପରେ ଅବସ୍ଥିତ କନଲାଓନ ଜ୍ଵାଳାମୁଖୀ ଫିଲିପାଇନ୍ସର ସବୁଠୁ ସକ୍ରିୟ ଜ୍ଵାଳାମୁଖୀ ମଧ୍ୟରୁ ଅନ୍ୟତମ। ଏହା ପୂର୍ବରୁ ୨୦୨୪ ଜୁନ୍ ମାସରେ ଜ୍ଵାଳାମୁଖୀ ସକ୍ରିୟ ହୋଇଥିଲା। ସୋମବାର ଜ୍ଵାଳାମୁଖୀ ପୁଣି ଥରେ ସକ୍ରିୟ ହେବା ଯୋଗୁଁ ପିଲିପାଇନ୍ସ ସରକାର ଏବେ ୬ କିମି ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳକୁ ଖାଲି କରିଦେଇଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ପ୍ରକୃତିର ତାଣ୍ଡବର ଆଉ ଏକ ଉଦାହରଣ।