ବଙ୍ଗାଲୁରୁ,୧୪/୧୨: କର୍ଣ୍ଣାଟକର ଆଲନ୍ଦ ବିଧାନସଭା ଆସନରେ ଭୋଟର ତାଲିକା ଗଡ଼ବଡ଼ ମାମଲାରେ ଶନିବାର ୨୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଦ୍ୱାରା ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମ୍ଏମ୍) କୋର୍ଟରେ ଚାର୍ଜସିଟ୍ ଦାଖଲ ହେବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତ ପ୍ରକ୍ରିୟାରେ ପୂର୍ବତନ ବିଜେପି ବିଧାୟକ ସୁଭାଷ ଗୁଟ୍ଟେଦାର ଏବଂ ତାଙ୍କ ପୁଅ ହର୍ଷାନନ୍ଦଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନିଆଯାଇଥିଲା । ଭୋଟର ତାଲିକାରୁ ଯୋଗ୍ୟ ମତଦାତାଙ୍କ ନାମ କାଟିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଚାର୍ଜସିଟ୍‌ରେ ସୁଭାଷ ଗୁଟ୍ଟେଦାରଙ୍କ ବ୍ୟକ୍ତିଗତ ସଚିବ ଟିପ୍ପରୁଦ୍ର, କଲବୁର୍ଗୀର ତିନିଜଣ ଡାଟା ସେଣ୍ଟର ଅପରେଟର- ଅକରମ୍ ପାଶା, ମୁକରମ୍ ପାଶା ଓ ମହମ୍ମଦ ଅଶଫାକ ଏବଂ ପଶ୍ଚିମବଙ୍ଗର ବାପି ଆଦ୍ୟା ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ରହିଥିଲା।

ଏସ୍ଆଇଟି ରିପୋର୍ଟ ମୁତାବକ, ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ୫,୯୯୪ ଭୋଟରଙ୍କ ନାମ ମତଦାତା ତାଲିକାରୁ ହଟାଇବା ପାଇଁ ଉଦ୍ୟମ ହୋଇଥିଲା । ଏଥିପାଇଁ କଲବ୍ଲୁର୍ଗୀରେ ଏକ କଲ୍‌ସେଣ୍ଟର ନେଟୱର୍କ ସ୍ଥାପନ ହୋଇଥିଲା । ଏଠାରୁ ହିଁ ବେଆଇନ ଭାବେ ଆବେଦନ କରାଯାଇ ଲୋକଙ୍କ ନାମ କଟାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବର ୧୮ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଆଲନ୍ଦ ବିଧାନସଭା କ୍ଷେତ୍ରରେ ଭୋଟ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ ।