ନୂଆଦିଲ୍ଲୀ,୧୩/୧୦: ଗାଜା ଯୁଦ୍ଧବିରତି ବୁଝାମଣାର ପ୍ରଥମ ପର୍ଯ୍ୟାୟରେ ହମାସ୍‌ ଆଜି ୪୮ ଇସ୍ରାଏଲୀ ବନ୍ଧକଙ୍କୁ ଛାଡ଼ିପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ ଗାଜା ଯୁଦ୍ଧ ଶେଷ କରିବା ଲାଗି ଇଜିପ୍ଟରେ ଆଲୋଚନା ହେବ । ଭାରତ ସମେତ ୨୦ରୁ ଅଧିକ ବିଶ୍ୱନେତା ସାମିଲ ହେବେ । ମଧ୍ୟପ୍ରାଚ୍ୟ ଗସ୍ତ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଗାଜାରେ ହମାସ୍-ଇସ୍ରାଏଲ ଯୁଦ୍ଧ ଶେଷ ହେଲା । ଏହା ଅଷ୍ଟମ ଯୁଦ୍ଧ ହେବ ଯାହାକୁ ଆମେ ସମାଧାନ କରିଛୁ ।

ଇଜିପ୍ଟ ଗସ୍ତ ପୂର୍ବରୁ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଇସ୍ରାଏଲ ଯିବେ । ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ''ମୁଁ ଯୁଦ୍ଧ ସମାଧନ କରିବାରେ ମାହିର । ଗାଜାରେ ମୁଁ ଅଷ୍ଟମ ଯୁଦ୍ଧର ସାମାଧାନ କରିଛି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୋର "ବହୁତ ଭଲ" ସମ୍ପର୍କ ଅଛି । ତାଙ୍କ ସହ କିଛି ମତଭେଦ ଥିଲା ଏବଂ ସେଗୁଡ଼ିକ ଶୀଘ୍ର ସମାଧାନ ହୋଇଥିଲା। ଆମେ ସମସ୍ତଙ୍କୁ ଖୁସି କରିବୁ । ଗାଜାରେ ଯୁଦ୍ଧ ଶେଷ ହୋଇସାରିଛି ।  ଠିକ୍‌ ଅଛି । ତୁମେ ବୁଝିପାରୁଛ ତ ? ମଧ୍ୟପ୍ରାଚ୍ୟକୁ ଏହି ଯାତ୍ରା ବହୁତ ଖାସ୍‌ । ସମସ୍ତେ ଏହି ମୂହୁର୍ତ୍ତକୁ ନେଇ ବେଶ୍ ଉତ୍ସାହିତ । ଗାଜାରେ ଯୁଦ୍ଧବିରତି ବଜାୟ ରହିବ ମୁଁ ଭାବୁଛି ଲୋକମାନେ ଥକି ଯିବେଣି ।''

ହମାସ ଛାଡିବାକୁ ଥିବା ପଣବନ୍ଦୀଙ୍କ ମଧ୍ୟରେ ୨୦ ଜୀବିତ ଏବଂ ୨୮ ମୃତକ ଅଛନ୍ତି । ଇସ୍ରାଏଲ ସେନା  ଗାଜାରୁ ପ୍ରାରମ୍ଭିକ ପ୍ରତ୍ୟାହାର କାର୍ଯ୍ୟ ଶେଷ କରିଛି । ଏହା ପରେ ହମାସ୍‌କୁ ୭୨ ଘଣ୍ଟା ସମୟ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ ଆଜି ଗାଜା ଯୁଦ୍ଧ ଶେଷ କରିବା ଲାଗି ଇଜିପ୍ଟରେ ଆଲୋଚନା ହେବ । ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସମେତ ୨୦ରୁ ଊଦ୍ଧ୍ୱର୍ ବିଶ୍ୱନେତା ସାମିଲ ହେବେ ।

ସେପଟେ ଟ୍ରମ୍ପ୍‌ଙ୍କ ଗାଜା ଶାନ୍ତି ଯୋଜନା ମଧ୍ୟରୁ କେତେକ ପ୍ରସ୍ତାବରେ ହମାସ୍‌ ସହମତ ନ ଥିବା ଏହାର ବରିଷ୍ଠ ନେତା ହୋସାମ୍‌ ବଡରାମ କହିଛନ୍ତି । ପାଲେଷ୍ଟିନୀୟଙ୍କୁ ସେମାନଙ୍କ ଜମିରୁ ବିଦା କରିବା କଥା ଯଥାର୍ଥ ନୁହେଁ । ତେଣୁ ବୁଝାମଣାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବେଶ୍‌ ଜଟିଳ ବୋଲି ସେ ପ୍ରକାଶ କରିଛନ୍ତି । ଇସ୍ରାଏଲ ଆକ୍ରମଣରେ ଗାଜାରେ ୬୬ ହଜାରରୁ ଊଦ୍ଧ୍ୱର୍ ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷ ୭୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୮୩% ହେଉଛନ୍ତି ସାଧାରଣ ନାଗରିକ । ସେମାନଙ୍କ ମଧ୍ୟରେ ପ୍ରାୟ ୨୦ ହଜାର ଶିଶୁ ରହିଛନ୍ତି । ୨୨ ଲକ୍ଷ ଲୋକ ଖାଦ୍ୟାଭାବ ସଙ୍କଟର ସାମ୍‌ନା କରୁଛନ୍ତି । ପ୍ରାୟ ୨ ଲକ୍ଷ ଅଟ୍ଟାଳିକା ମାଟିରେ ମିଶିଛି ।

​​​​​​​ଗାଜା ଶାନ୍ତି ଚୁକ୍ତିନାମା କ'ଣ ? ଗାଜା ଶାନ୍ତି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟରେ ହମାସ ଅକ୍ଟୋବର ୭ରେ ଆକ୍ରମଣ ସମୟରେ  ଅପହୃତ ସମସ୍ତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବ । ଏହାପରେ ଇସ୍ରାଏଲ ଜେଲରୁ ପ୍ରାୟ ୨ ହଜାର ପାଲେଷ୍ଟାଇନୀ ବନ୍ଦୀଙ୍କୁ ଛଡାଯିବ । ଗାଜା ଷ୍ଟ୍ରିପକୁ ସହାୟତା ଯୋଗାଣକୁ ଅନୁମତି ଦେବ । ଚୁକ୍ତିନାମାର ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ବିଷୟରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ବିବରଣୀ ଜଣାପଡିନାହିଁ ।