ନୂଆଦିଲ୍ଲୀ ୨୦/୦୪: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅନୁସନ୍ଧାନର ଅଂଶ ହେବାକୁ ଯାଉଛି ଇସ୍ରୋ । ଆସନ୍ତା ମେ’ରେ ଆକ୍ସିଓମ୍‌-୪ ମିଶନ୍‌ରେ ସ୍ପେସ୍‌ ଷ୍ଟେସନ୍‌ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସ୍ପେସ୍‌ ଷ୍ଟେସନ୍‌ ଯାତ୍ରାରେ ଶୁଭାଂଶୁ ସ୍ପେସ୍‌ଏକ୍ସ ଡ୍ରାଗନ୍‌ ମହାକାଶଯାନର ସଂଚାଳନା କରିବେ । ଏହା ଜରିଆରେ ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରହିବା ଓ କାମ କରିଥିବା ପ୍ରଥମ ଭାରତୀୟ ହେବେ । ଶୁଭାଂଶୁ ଆକ୍ସିଓମ୍‌ ସ୍ପେସ୍‌ ଜରିଆରେ ୧୪ ଦିନିଆ ମିଶନ୍‌ରେ ଶୂନ୍ୟ ମାଧ୍ୟାକର୍ଷଣରେ ରହିବେ ଓ ଅନେକ ପରୀକ୍ଷା କରିବେ । ତନ୍ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭୋୟାଜର ଟାର୍‌ଡିଗ୍ରେଡ୍‌ସ ପରୀକ୍ଷଣ । ଟାର୍‌ଡିଗ୍ରେଡ୍‌ସ ‘ୱାଟର ବିଅର୍‌’ କିମ୍ବା ମୋସ୍‌ ପିଗ୍‌ଲେଟ୍‌ ନାମରେ ମଧ୍ୟ ପରିଚିତ । ପାଣିରେ ବାସ କରୁଥିବା ଏହି ସୂକ୍ଷ୍ମ ଜୀବ ବଞ୍ଚିବାର ଅନନ୍ୟ ସାମର୍ଥ୍ୟ ପାଇଁ ପରିଚିତ । 

୧୭୭୩ ମସିହାରେ ଜର୍ମାନ ଜୀବବିଜ୍ଞାନୀ ଜୋହାନ ଅଗଷ୍ଟ୍‌ ଏଫରେମ୍‌ ଗୋଜ୍‌ ପ୍ରଥମେ ୱାଟର ବିଅର୍‌ ଆବିଷ୍କାର କରିଥିଲେ । ଲାଟିନ୍‌ ଭାଷାରେ ‘ଟାର୍‌ଡିଗ୍ରାଡା’ ଅର୍ଥ ‘ଧିମା ଚାଲୁଥିବା ଜୀବ’, ଯାହା ଏମାନଙ୍କ ନିଷ୍କ୍ରିୟତା ଓ ଭାଲୁ ଭଳି ଗତିକୁ ଦର୍ଶାଏ । ଏହି ଜୀବଙ୍କ ଲମ୍ବ ସାଧାରଣତଃ ୦.୩ ଏମ୍‌ଏମ୍‌ରୁ ୦.୫ ଏମ୍‌ଏମ୍‌ ମଧ୍ୟରେ ହୋଇଥାଏ, ତେଣୁ ଏମାନଙ୍କୁ ଦେଖିବାକୁ ମାଇକ୍ରୋସ୍କୋପ୍‌ ଆବଶ୍ୟକ । ୱାଟର ବିଅର୍‌ ମାଟି, ପତ୍ର ଅଳିଆଗଦା, ସ୍ୱଚ୍ଛଜଳ, ସାମୁଦ୍ରିକ ପରିବେଶ, ଉଚ୍ଚ ପର୍ବତ, ଗଭୀର ସମୁଦ୍ର, ଝରଣା, ଏପରିକି ମେରୁ ବରଫ ଭଳି ପୃଥିବୀର ପ୍ରାୟ ସବୁ ସ୍ଥାନରେ ଦେଖାଯାଆନ୍ତି । ଏମାନଙ୍କର ୮ଟି ଗୋଡ଼ ଅଛି, ଯାହାର ଶେଷରେ ଛୋଟ ପଞ୍ଝା ରହିଛି । ଖଣ୍ଡ ଖଣ୍ଡ ଶରୀର ଏକ କଠିନ ପରସ୍ତ ଦ୍ୱାରା ଆବୃତ୍ତ ହୋଇଛି । ଧିମା ପ୍ରକୃତି ଓ ନିଷ୍କ୍ରିୟ ଗତି ଯୋଗୁ ଏମାନେ ‘ୱାଟର ବିଅର୍‌’ ନାମରେ ପରିଚିତ । 

ଭୋୟାଜର ଟାର୍‌ଡିଗ୍ରେଡ୍‌ ପରୀକ୍ଷା ଭାରତ ପକ୍ଷରୁ ସ୍ପେସ୍‌ ଷ୍ଟେସନ୍‌ରେ ହେବାକୁ ଥିବା ୭ ଅନ୍ୟ ପରୀକ୍ଷା ମଧ୍ୟରେ ଅନ୍ୟତମ । ସ୍ପେସ୍‌ ଷ୍ଟେସନ୍‌କୁ ଯାଇଥିବା ଟାର୍‌ଡିଗ୍ରେଡ୍‌ଙ୍କ ପୁନରୁଦ୍ଧାର, ଅସ୍ତିତ୍ୱ ଓ ପ୍ରଜନନକୁ ଏହା ଯାଞ୍ଚ୍‌ କରିବ । ଆକ୍ସିଓମ୍‌ ସ୍ପେସ୍‌ ଅନୁସାରେ, ଟାର୍‌ଡିଗ୍ରେଡ୍‌ଙ୍କ ପୁନରୁଦ୍ଧାରକୁ ସ୍ପେସ୍‌ ଷ୍ଟେସନ୍‌ରେ ପରୀକ୍ଷା କରାଯିବ । ଏହି ମିଶନରେ ଏମାନେ କେତେ ଅଣ୍ଡା ଦେବେ ଏବଂ ସେଥିରୁ କେତେ ଛୁଆ ଫୁଟାଇବେ, ତାହା ଗଣାଯିବ । ଏଥିସହିତ ମହାକାଶରେ ଉଡୁଥିବା ଓ ଭୂମି ନିୟନ୍ତ୍ରିତ ୱାଟର ବିଅର୍‌ଙ୍କ ଜିନ୍‌ ଅଭିବ୍ୟକ୍ତି ପ୍ୟାଟର୍ନକୁ ତୁଳନା କରାଯିବ । 

ଅଧ୍ୟୟନ ଚରମ ପରିବେଶରେ ଜୀବନର ସୀମାକୁ ବୁଝିବା ନିମନ୍ତେ ନିହିତ ସ୍ଥାୟିତ୍ୱର ଆଣବିକ ତନ୍ତ୍ରକୁ ଚିହ୍ନଟ କରିବ । ଏହି ଜ୍ଞାନ ଭବିଷ୍ୟତ ମହାକାଶ ଅନ୍ୱେଷଣରେ ସହାୟକ ହୋଇପାରେ ଏବଂ ପୃଥିବୀରେ ଜୈବପ୍ରାଦ୍ୟୋଗିକୀ ପ୍ରୟୋଗଗୁଡ଼ିକର ବିକାଶରେ ସାହାଯ୍ୟ କରିପାରେ । ମହାକାଶରେ ଟାର୍‌ଡିଗ୍ରେଡ୍‌ଙ୍କ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଚରମ ତାପମାତ୍ରା, ତୀବ୍ର ବିକିରଣ ଓ ମହାକାଶର ଭାକ୍ୟୁମ୍‌ ଭଳି ଖରାପ ସ୍ଥିତିରେ ଅଧିକାଂଶ ଜୀବଙ୍କ ବଞ୍ଚିବା ବିପଦପୂର୍ଣ୍ଣ ହେବାବେଳେ ଏହି ସୂକ୍ଷ୍ମ ଜୀବ ସେଠାରେ ତିଷ୍ଠିପାରିବେ । ଟାର୍‌ଡିଗ୍ରେଡ୍‌ କିଭଳି ନିଜକୁ ସୁରକ୍ଷା ଦେଉଛନ୍ତି ଏବଂ ନିଜ ଡିଏନ୍‌ଏକୁ ମରାମତି କରୁଛନ୍ତି, ତାହା ବୁଝିବା ପରେ ବୈଜ୍ଞାନିକମାନେ ଭବିଷ୍ୟତର ଦୀର୍ଘକାଳୀନ ମାନବ ମିଶନରେ ମହାକାଶଚାରୀଙ୍କୁ ସୁରକ୍ଷା ଦେବାର ମାର୍ଗ ବାହାର କରିପାରିବେ ବୋଲି ଆଶା ବାନ୍ଧିଛନ୍ତି । ପୃଥିବୀ ତୁଳନାରେ ମହାକାଶର ବିକିରଣ ସ୍ତର ଖୁବ୍‌ ଅଧିକ ହୋଇଥିବାରୁ ମାନବ ମହାକାଶ ମିଶନ ଚାଲେଞ୍ଜିଂ ହୋଇଛି । ଏହି ଅଧ୍ୟୟନର ତଥ୍ୟ ଭାରତର ଗଗନଯାନ ମିଶନର ଯୋଜନା ଓ ଅଗ୍ରଗତିକୁ ମାର୍ଗ ଦେବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ।