ଫିରିଙ୍ଗିଆ, ୧୩/୩ : ଦିନକୁ ଦିନ ପ୍ରବଳ ମାତ୍ରାରେ ଖରା ବଢିବା ସହ ଚୁଆ, କୂଅ, ନଳକୂପ ନାଳର ପାଣି ଶୁଖିବାରେ ଲାଗିଛି । ଯାହାକୁ ନେଇ ଗାଁ ଗାଁରେ ଏବଂ ବିଦ୍ୟାଳୟ ସହ ବିଭିନ୍ନ ସ୍ଥାନରେ ପିଇବା ପାଣି ସଙ୍କଟ ଦେଖାଦେଇଛି । ଅନେକ ଅଙ୍ଗନବାଡ଼ି କେନ୍ଦ୍ର ସହ ବିଦ୍ୟାଳୟମାନଙ୍କରେ ନଳକୂପ ଖରାପ ଥିବାରୁ ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଏମିତି ଏକ ବିଦ୍ୟାଳୟରେ ପାଣି ଟୋପାଏ ପାଇଁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଉପର ଡାଙ୍ଗାଣାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ।
ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ସମୁଦାୟ ୪୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥୁବାବେଳେ ୨ଜଣ ଶିକ୍ଷକ ମଧ୍ୟ ଅଛନ୍ତି l ଏହି ବିଦ୍ୟାଳୟରେ ନଳକୂପ କିଛିଦିନ ହେବ ଅଚଳ ହୋଇ ପଡ଼ିଥିବାରୁ ପାଣି ପାଇଁ ଅସୁବିଧା ଭୋଗିବା ସହ ଗାଁରେ ବହୁ ଦୂରରେ ଥିବା ଅନ୍ୟ ଏକ ଜାଗାରୁ ପାଣି ଆଣି ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟବହାର କରାଯାଉଛି l ଯାହାଦ୍ୱାରା ପାଣି ପାଇଁ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ବିଦ୍ୟାଳୟରେ ନଳକୂପ ମରାମତି କରା ନଗଲେ ଆଗାମୀ ଦିନରେ ପାଣି ପାଇଁ ଅସୁବିଧା ହେବା ସହ ସମସ୍ୟାର ସମ୍ମୁଖୀନ ଦେଖା ଦେବ l ତୁରନ୍ତ ବିଦ୍ୟାଳୟ ନିକଟରେ ଥିବା ନଳକୂପ ମରାମତି ସହ ପାଣି ଯୋଗାଇଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ସହ ଅଞ୍ଚଳବାସୀ ଦାବି କରିଛନ୍ତି । ନୂଆ ସାହିରୁ ପାଣି ନେଲେ ରୋଷେଇ ହେଉଛି ସ୍କୁଲରେ । ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ପଚାରିବାରୁ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ତୁରନ୍ତ ନଳକୂପ ମରାମତି ପାଇଁ ବ୍ୟବସ୍ଥା କରାଯିବାକୁ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି l