ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

‘ଭାରତରେ ମରିବା ମଞ୍ଜୁର, କିନ୍ତୁ ପାକିସ୍ତାନ ଭଳି ନର୍କରେ ବଞ୍ଚିବାକୁ ଚାହୁଁନୁ’ : ପାକ୍ ଶରଣାର୍ଥୀଙ୍କ ମନରେ ବଢିଲା ଭୟ

Published By : Prameya | April 26, 2025 4:19 PM

ନୂଆଦିଲ୍ଲୀ,୨୬।୪: ପହଲଗାମ୍‌ରେ ହୋଉଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ। ଭାରତରେ ଥିବା ପାକିସ୍ତାନୀଙ୍କୁ ଯଥାଶୀଘ୍ର ଫେରିଯିବାକୁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶ ପରେ ସବୁଠାରୁ ଅଧିକ ସେହି ଲୋକେ ଡରି ଯାଇଛନ୍ତି, ଯେଉଁମାନେ ପାକିସ୍ତାନ ଛାଡି ଭାରତରେ ଥତଲେ। ଏହି ସମସ୍ତେ ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ, ଯେଉଁମାନେ କି ସେଠାକାର ସ୍ଥିତିକୁ ନେଇ ଖୁବ୍ ସମସ୍ୟାରେ ଥିଲେ। ଏବେ ସରକାରଙ୍କ ଏହି ନିର୍ଦେଶ ପରେ ସେମାନେ ଭୟଭୀତ ହୋଇଛନ୍ତି। ଆଉଥରେ ପାକିସ୍ତାନ ଫେରିବାକୁ ଚାହୁଁ ନାହାନ୍ତି। ତାଙ୍କ ମତରେ ଭାରତରେ ମରିବାକୁ ପସନ୍ଦ କରିବେ, କିନ୍ତୁ ପାକିସ୍ତାନ ଭଳି ନର୍କକୁ ଯିବାକୁ ଇଚ୍ଛା କରିବେନି। 

ଗତ ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୨୬ ନିର୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଲୋକଙ୍କୁ ଧର୍ମ ପଚାରି ଗୁଳିମାରିଥିଲେ। ଏପରିକି ବହୁ ଲୋକଙ୍କୁ କଲମା ପଢିବାକୁ ମଧ୍ୟ କହିଥିଲେ। ଏହି ଭୟାବହ ଆକ୍ରମଣ ଘଟଣା ପୁରା ଦେଶବାସୀଙ୍କ ମନରେ ପ୍ରତିଶୋଧର ନିଆଁ ସୃଷ୍ଟି କରିଛି। ଆତଙ୍କୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ଏହି ସମୟରେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପାକିସ୍ତାନରୁ ଆସି ଭାରତରେ ଥିବା ଲୋକଙ୍କ ଭିସା କ୍ୟାନସେଲ୍ କରି ଦେଇଛନ୍ତି। ତାଙ୍କୁ ରବିବାର ସୁଦ୍ଧା ପାକିସ୍ତାନ ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। 

ଏହି ନିର୍ଦେଶ ପରେ ପାକିସ୍ତାନରୁ ଆସିଥିବା ଲୋକଙ୍କୁ ଜୀବନର ଭୟ ବଢିଯାଇଛି। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁଙ୍କର। ତାଙ୍କୁ ଲାଗୁଛି ଯେ, ସେମାନେ ପାକିସ୍ତାନ ଫେରିଗଲେ ତାଙ୍କ ଜୀବନ ପାଇଁ ବିପଦ ହୋଇପାରେ। ରାଜସ୍ଥାନର ଜୈସଲମେରରେ ଥିବା ଏକ ଶରଣାର୍ଥୀ କଲୋନୀରେ ପାକିସ୍ତାନରୁ ଆସିଥିବା ଏକ ହଜାରରୁ ଅଧିକ ଶରଣାର୍ଥୀ ହିନ୍ଦୁ ରହିଛନ୍ତି। ଯେଉଁମାନେ ସର୍ଟ ଟର୍ମ ଭିସାରେ ଭାରତ ଆସିଛନ୍ତି। ଏହି ସବୁ ଲୋକେ ଓ୍ବାଘା-ଅଟାରୀ ବର୍ଡର ଦେଇ ଭାରତରେ ପ୍ରବେଶ କରିଥିଲେ। ତାଙ୍କ ଭିତରୁ ଜଣେ ବ୍ୟକ୍ତି କହିଛନ୍ତି ଭାରତ ଓ ପାକିସ୍ତାନ ବିବାଦ ବଢିବା ପରେ ଏବେ ଫେରିବାର ଚିନ୍ତା ବଢିଛି। ସେ କହିଛନ୍ତି, ଭାରତରେ ମରିବା ଭଲ, କିନ୍ତୁ ପାକିସ୍ତାନ ଭଳି ନର୍କରେ ବଞ୍ଚିବାକୁ ଚାହୁଁନି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.