ନୂଆଦିଲ୍ଲୀ,୨୩/୧୦ : ଆଲୋକର ପର୍ବ ଦୀପାବଳିର ସପ୍ତାହେ ପୂର୍ବରୁ ହରିଆଣା ପଞ୍ଚକୁଲାର ଏକ କଂପାନି ନିଜ କର୍ମଚାରୀଙ୍କୁ ୧୫ଟି କାର୍‌ ଉପହାର ଦେଇଛି । ନିଜ କର୍ମକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବାରୁ ସେମାନଙ୍କୁ ଏହି ଉପହାର ମିଳିଛି । କଠିନ ପରିଶ୍ରମ ଓ କାର୍ଯ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତା ଦେଖାଇଥିବା ସେହି କର୍ମଚାରୀମାନଙ୍କୁ ମିଟ୍‌ସ ହେଲ୍‌ଥକେୟାରର ନିର୍ଦ୍ଦେଶକ ତଥା ମାଲିକ ଏମ୍‌କେ ଭାଟିଆ ସେଲିବ୍ରିଟି ଭାବେ ସମ୍ବୋଧନ କରିଛନ୍ତି । ଭାଟିଆ କହିଛନ୍ତି, ଆମେ ସେମାନଙ୍କୁ କର୍ମଚାରୀ ବୋଲି କେବେହେଲେ କହିନଥାଉ । 

ବରଂ ଆମର ସେଲିବ୍ରିଟି, ରକ୍‌ଷ୍ଟାର ଭାବେ ସମ୍ବୋଧନ କରୁ । ସେମାନେ ଆମ ପରିବାର । ଆମେ ଫ୍ରେଶରମାନଙ୍କୁ ନିଯୁକ୍ତି ଦେଇ ତାଲିମ ପ୍ରଦାନ କରିଥାଉ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ନିଜ ନିଜ ଟିମ୍‌ର ଭାଇସ୍‌ ପ୍ରେସିଡେଣ୍ଟ ପଦ ଯାଏ ପଦୋନ୍ନତି ମିଳେ । ଏହାପରେ କାର୍ଯ୍ୟ ଆଧାରରେ ସେମାନେ ଟିମ୍‌ର ପ୍ରେସିଡେଣ୍ଟ ଓ ଡାଇରେକ୍ଟର ମଧ୍ୟ ହୋଇଥାନ୍ତି । \ଏହି ପର୍ଯ୍ୟାୟରେ ସେମାନଙ୍କୁ କାର୍‌ ମିଳିଥାଏ । ବର୍ତ୍ତମାନ ଯେଉଁ ୧୫ ଜଣ କର୍ମଚାରୀ କାର୍‌ ପାଇଛନ୍ତି ସେମାନେ ୪ ମାସ ତଳେ ଡାଇରେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଆସନ୍ତାବର୍ଷ ଆମେ ୫୦ଟି କାର୍‌ ଦେବାକୁ ଲକ୍ଷ୍ୟ ରଖିଛୁ । ଯୁବ କର୍ମଚାରୀଙ୍କୁ ଭଲ ପ୍ରଦର୍ଶନ ପାଇଁ ପ୍ରେରିତ କରିବା ଆମର ଏଭଳି ପଦକ୍ଷେପ ପଛର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଗତବର୍ଷ କଂପାନି ୧୨ ଜଣ କର୍ମଚାରୀଙ୍କୁ କାର୍‌ ଉପହାର ଦେଇଥିଲା