ଭୁବନେଶ୍ୱର,୧୪/୦୭: ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ  ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା  ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।  

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି,  ରାୟଗଡ଼ା ଓ ନୟାଗଡ଼ରେ ଅଧିକ ବର୍ଷା ହୋଇପାରେ । ୧୫  ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ  ଭାରି ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ଉପକୂଳ  ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ ।  

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)  ଆକଳନ ଅନୁସାରେ, ଉତ୍ତର ବଙ୍ଗୋପସାଗରରେ  ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା  ପ୍ରଭାବରେ ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ଜୁଲାଇ  ୧୪ରୁ ୧୭ ତାରିଖ ଭିତରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର  ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।  

​​​​​​​

ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଓ ବୈତରଣୀ ନଦୀର  ଅବବାହିକା ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିପାରେ ।  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର,  ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର,  ବରଗଡ଼, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର  ପ୍ରଭାବ ଅଧିକ ରହିବ । ସୋମବାର ରାଜ୍ୟରେ ହାଲୁକାରୁ  ମଧ୍ୟମ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା  ରହିଛି ସିଇସି ଆକଳନ କରିଛି । ସୋମବାର ବାଲେଶ୍ୱର,  ବାରିପଦା ଓ କେନ୍ଦ୍ରାପଡ଼ାରେ ସାମାନ୍ୟ ବର୍ଷା ହୋଇଛି ।