ଭୁବନେଶ୍ୱର, ୧୧/୦୭: ଜୁନ୍ ନିଅଣ୍ଟିଆକୁ ଭରଣା କରିଦେଲା ଜୁଲାଇ ପ୍ରଥମ ସପ୍ତାହର ବର୍ଷା । ରାଜ୍ୟରେ ବର୍ଷା ସ୍ଥିତି ସ୍ୱାଭାବିକ ରହିଛି । କେବଳ ୪ଟି ଜିଲ୍ଲାରେ ଏବେ ବି ନିଅଣ୍ଟିଆ ସ୍ଥିତି ରହିଛି । ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକକୁ ଟପିଯାଇଛି । ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁ ଏଥର ଚାଷ କାମ ପ୍ରଥମରୁ ଝୁଣ୍ଟିଥିଲା । ବିଳମ୍ବରେ ବୁଣାବୁଣି ଆରମ୍ଭ ହୋଇଥିବା ସତ୍ତେ୍ୱ ଚାଷ ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଆଗକୁ ବି ଭଲ ବର୍ଷା ଆଶା କରାଯାଉଛି । ଆଗ ପଛ ହୋଇ ଦୁଇଟି ଲଘୁଚାପ ଓଡ଼ିଶା ଆଡ଼କୁ ଆସୁଛି । ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ । ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ଏମିତି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ବିଶ୍ୱବିଦ୍ୟାଳୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ଡକ୍ଟର ସାହୁଙ୍କ ଆକଳନ କହୁଛି, ଚଳିତ ଜୁଲାଇରେ ଭଲ ବର୍ଷା ପାଇବ ଓଡ଼ିଶା । ଏହା ଚାଷ କାମକୁ ବେଶ୍ ସହାୟକ ହୋଇପାରେ । ତାଙ୍କ କହିବାନୁସାରେ ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ୧୨/୧୩ ତାରିଖବେଳକୁ । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ସମୟ ରହିବନି । ତଥାପି ୧୩ରୁ ୧୫ ଭଲ ବର୍ଷା ହେବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଏହା ପରେ ବର୍ଷା କମିଲେ ମଧ୍ୟ ପାଗ ମୁଖ୍ୟତଃ ମେଘୁଆ ରହିବା ସମ୍ଭାବନା ଅଛି । ପୁଣି ୧୯ ତାରିଖବେଳକୁ ଆଉ ଏକ ଲଘୁଚାପ ହୋଇପାରେ ସେଇ ସମାନ ଅଞ୍ଚଳ ପାଖରେ । ଏହା ପ୍ରଭାବରେ ୧୮ରୁ ୨୨ ଯାଏ ବର୍ଷା ରହିପାରେ । ଦ୍ୱିତୀୟ ଲଘୁଚାପ ପ୍ରଭାବରେ ପୁଣି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ।
ଅଧିକ ପଢ଼ନ୍ତୁ :- ସିରିଜ ଦୁର୍ଘଟଣା ଘଟାଇଲା ନିଶାସକ୍ତ ଡ୍ରାଇଭର ; କାବୁ କରି ପୋଲିସ ଜିମା ଦେଲେ ଲୋକେ
ପାଣିପାଗ ବିଭାଗ ମଧ୍ୟ ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି । ଜୁଲାଇରେ ଭଲ ବର୍ଷା ହେବା ପରେ ରାଜ୍ୟରେ ଚାଷ କାର୍ଯ୍ୟରେ ସୁଧାର ଆସିଛି । ଚଳିତବର୍ଷ ଖରିଫରେ ୫୭.୮୮ ଲକ୍ଷ ହେକ୍ଟର ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଜୁଲାଇ ୩ ସୁଦ୍ଧା ରାଜ୍ୟରେ ୨.୧୫ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ବୁଣା ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ୬.୮ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିଲା । ଗତବର୍ଷ ତୁଳନାରେ ଏହା ୬୮% କମ୍ ଥିଲା । ତେବେ ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହେବା ପରେ ସ୍ଥିତିରେ ସୁଧାର ଆସିଛି । ବର୍ଷା ନିଅଣ୍ଟିଆ ସ୍ଥିତିରେ ସୁଧାର ଆସିବା ପରେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁରରେ ଚାଷ କାମ ସବୁଠୁ ଅଧିକ ଆଗେଇଛି । ଉପକୂଳରେ କଟକ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଜିଲ୍ଲାରେ ରୁଆ କାମ ଆଗକୁ ବଢ଼ିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଚାଷୀ ଧାନ ବୁଣାବୁଣି ବଢ଼ାଇଛନ୍ତି ।