ଭୁବନେଶ୍ୱର,୦୨/୦୨: ଫେବୃଆରୀ ଆରମ୍ଭରୁ ପାରଦ ଉପରମୁହାଁ ଏ ବର୍ଷ ପ୍ରଥମ ଥର ପାଇଁ ଦିନ ତାପମାତ୍ରା ଶନିବାର ୩୫ ଡିଗ୍ରୀ ଟପିଛି । ମଧ୍ୟାହ୍ନରେ ଖରାଦିନ ଭଳି ତାତି ଅନୁଭୂତ ହେଉଛି । ରବିବାର କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ  କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । 

ଶନିବାର ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୫.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ  ହୋଇଛି । ଝାରସୁଗୁଡ଼ାରେ ୩୫.୨ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ରହିଛି । ସମ୍ବଲପୁର  ଓ ହୀରାକୁଦରେ ଦିନ ତାପମାତ୍ରା ୩୪.୭ ରହିଥିଲା । ଭବାନୀପାଟଣାରେ  ୩୪ ଡିଗ୍ରୀ ଥିଲା। ସେପଟେ ରାତି ତାପମାତ୍ରା ବି ବଢ଼ିବା ଯୋଗୁ ବିଶେଷ ଶୀତ  ଅନୁଭୂତ ହେଉନି । ଅଧିକାଂଶ ସ୍ଥାନରେ ରାତି ବେଳା ପାରଦ ୧୬ ଓ ୧୭ ଡିଗ୍ରୀ  ଉପରେ ରହୁଛି । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୪.୨ ଡିଗ୍ରୀ ରହିଥିଲା ।  ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨.୯ ଓ ଭୁବନେଶ୍ୱରରେ ୨୨.୪ ଡିଗ୍ରୀ ଥିଲା ।  ଫୁଲବାଣୀରେ ପାରଦ ସବୁଠୁ କମ୍‌ ୧୫ ଡିଗ୍ରୀ ରହିଥିଲା ।