ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା

Published By : Prameya | April 21, 2025 7:45 AM

ଭୁବନେଶ୍ୱର, ୨୧/୦୪: ପଶ୍ଚିମ ଓଡ଼ିଶାରେ  ଟାଇଁ ଟାଇଁ ଖରା । ଉପକୂଳରେ ଝାଇଁ ମାରି ଦେଉଥାଏ  ଗୁଳୁଗୁଳି ପ୍ରକୋପ । ଝାରସୁଗୁଡ଼ା ୪୩.୫ ଡିଗ୍ରୀ ସେଲସିୟସ୍‌ରେ ଜଳୁଥିଲା । ଉପକୂଳ ଓଡ଼ିଶାର  ଭୁବନେଶ୍ୱରରେ ତାପମାତ୍ରା ୩୭.୫ ଡିଗ୍ରୀ  ଛୁଇଁଥିଲେ ବି ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ଭଳି  ତାତି । ଅଚାନକ ଏମିତି ପ୍ରଚଣ୍ଡ ତାତି ମାଡ଼ି ଆସିଥିବାରୁ ଜନଜୀବନ ନାକେଦମ ହୋଇ ପଡ଼ିଛନ୍ତି । 

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଗୁଳୁଗୁଳି  ଜାରି ରହିବ । ବଡ଼ କଥା ହେଲା, ଆଶ୍ୱସ୍ତି ଦେଲା ଭଳି  କାଳବୈଶାଖୀ ସମ୍ଭାବନା ଏବେ ଦେଖାଯାଉନି । ଆସନ୍ତା  ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍‌ । ୨୬ ତାରିଖବେଳକୁ କାଳବୈଶାଖୀ ବଢ଼ିପାରେ । ଏମିତି  ହେଲେ ହିଁ ପ୍ରଚଣ୍ଡ ତାତିରୁ ନିସ୍ତାର ଆଶା କମ୍‌ ।  

ତାତିଠାରୁ ମାରାତ୍ମକ ହୋଇଥିଲା ଗୁଳୁଗୁଳିର ପ୍ରକୋପ । ଭୁବନେଶ୍ୱରରେ  ସକାଳ ସାଢ଼େ ୮ଟାରେ ପାରଦ ୩୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଆର୍ଦ୍ରତା  ଥିଲା ୮୧% । ହିଟ୍‌ ଇଣ୍ଡେକ୍ସ ଅନୁସାରେ- ତାପମାତ୍ରା ଓ ଆର୍ଦ୍ରତା ଯୋଗୁ  ସେତେବେଳେ ଅନୁଭୂତ ହେଉଥିଲା ୪୨ ଡିଗ୍ରୀ ଭଳି ଗରମ । ଦିନ ସାଢ଼େ  ୧୧ଟାରେ ତାପମାତ୍ରା ୩୫.୨ ଡିଗ୍ରୀ, ଆର୍ଦ୍ରତା ୬୭% ଥିଲା । ଅନୁଭୂତ ହେଉଥିଲା  ୪୫ ଡିଗ୍ରୀ ସେଲସିୟସ୍‌ ଭଳି ତାତି । ଦିନ ସାଢ଼େ ୨ଟାବେଳକୁ ଅନୁଭୂତ  ହେଉଥିଲା ୫୨ ଡିଗ୍ରୀ ସେଲସିୟସ୍‌ (ତାପମାତ୍ରା ୩୭, ଆର୍ଦ୍ରତା ୬୧%) ଭଳି ତାପମାତ୍ରା । ସନ୍ଧ୍ୟା ସାଢ଼େ ୫ଟାବେଳେ ଭୁବନେଶ୍ୱରର ଆର୍ଦ୍ରତା ପରିମାଣ  ୭୫% ଥିଲା । ଦିନତମାମ ଭୁବନେଶ୍ୱରରେ ଆର୍ଦ୍ରତା ୬୦% ତଳକୁ ଖସିନଥିଲା ।  ଏଥିରୁ ଅନୁମାନ କରାଯାଇପାରେ, ରାଜଧାନୀବାସୀ ରବିବାର କିଭଳି ଛଟପଟ  ହେଉଥିଲେ ଗରମରେ । ଗମଗମ ଝାଳରେ ନାକେଦମ ହୋଇଥିଲେ ସମସ୍ତେ ।  କେବଳ ଭୁବନେଶ୍ୱର ନୁହେଁ, ସାରା ଉପକୂଳରେ ଏମିତି ସ୍ଥିତି ଥିଲା ରବିବାର । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଯୋଗୁ କଟକ, ଚାନ୍ଦବାଲି,  ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଦିନ ସାଢ଼େ ୨ଟା ବେଳେ  ୪୭/୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା । 

ରବିବାର ରାଜ୍ୟର  ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ା  ସବୁଠୁ ଉତ୍ତପ୍ତ ଥିବାବେଳେ ସ୍ୱାଭାବିକଠାରୁ ୩.୧ ଡିଗ୍ରୀ ଅଧିକ ତାତିରେ  ସିଝିଲା । ବଲାଙ୍ଗୀର ତାପମାତ୍ରା ୪୨.୪ ସେଲସିୟସ୍‌, ଟିଟିଲାଗଡ଼ ୪୨,  ସମ୍ବଲପୁର ୪୧.୯, ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ୪୧.୩,  ସୋନପୁର ୪୧.୩, ନୂଆପଡ଼ା ୪୧, ଭବାନୀପାଟଣା ୪୦.୮, ରାଉରକେଲା  ୪୦.୧, ପାରଳାଖେମୁଣ୍ଡି ୩୯.୮, ଅନୁଗୁଳ ୩୯.୭, ବରଗଡ଼ ୩୯.୬  ଡିଗ୍ରୀ ଥିଲା । ଉପକୂଳରେ ଚାନ୍ଦବାଲି ୩୮, କଟକ ୩୭ ଡିଗ୍ରୀ ଛୁଇଁଥିଲା । ବର୍ତ୍ତମାନ ପୂର୍ବ ଭାରତରେ ତାପମାତ୍ରା ଆସନ୍ତା ୪ ଦିନ ଭିତରେ ୪ରୁ  ୬ ଡିଗ୍ରୀ ବଢ଼ିପାରେ । ୩ ଦିନ ପରେ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ  ବଢ଼ିବା ସମ୍ଭାବନା ଅଛି । 

ବର୍ତ୍ତମାନ କାଳବୈଶାଖୀ ବିସ୍ତୃ୍‌ତ ଅଞ୍ଚଳରେ ହେବନି ।  ସୋମବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା, ପବନ (୩୦ରୁ ୪୦ କିମି) ହୋଇପାରେ ।  ମଙ୍ଗଳବାର ମଧ୍ୟ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.