ଭୁବନେଶ୍ୱର,୦୧/୧୦: ଟାଏଁ  ଟାଏଁ ଖରା । ବାହାରେ ଅଧିକ ସମୟ ରହିଲେ ଅସ୍ତବ୍ୟସ୍ତ ଲାଗୁଥିଲା। ଖରାଦିନ ଭଳି ଗରମ ଓ ଗୁଳୁଗୁଳି ଅନୁଭବ  ହେଉଥିଲା। ପାରଳାଖେମୁଣ୍ଡିରେ ୩୬.୮  ଓ ଭୁବନେଶ୍ୱରରେ ତାତି ୩୬.୨ ଡିଗ୍ରୀରେ  ପହଞ୍ଚି ଯାଇଥିଲା । ଅଧିକାଂଶ  ସ୍ଥାନରେ ୩୫ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ଓ ପୁରୀରେ  ତାପମାତ୍ରା ସ୍ୱାଭାବିକଠାରୁ  ୩ଡିଗ୍ରୀ ଅଧିକ ରହିଥିଲା ।

ରାଜ୍ୟର ବିଭିନ୍ନ  ସ୍ଥାନରେ ଆଜି ଅଧିକ  ତାତି ଅନୁଭୂତ ହୋଇଛି ।  ଦିନ ୧୨ଟାରୁ ଟାଣ ଖରା ଯୋଗୁ  ଡହଡହ ତାତି ହୋଇଥିଲା । ବାହାରକୁ  ଗଲେ ଖରାଦିନିଆ ତାତି ଭଳି ଅନୁଭବ  ହେଉଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ  ୩୬.୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୬.୨ ଓ ଜଗତ୍‌ସିଂହପୁରରେ ୩୬ଡିଗ୍ରୀ ତାତି  ରେକର୍ଡ ହୋଇଥିଲା । ବାଲେଶ୍ୱରରେ ୩୫.୯, ଚାନ୍ଦବାଲିରେ  ୩୫.୮, ଝାରସୁଗୁଡ଼ାରେ ୩୫.୮,  ପୁରୀରେ ୩୫.୭, ସୋନପୁର ଓ  ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ  ୩୫.୨, ଅନୁଗୁଳରେ ୩୫.୧, ବାରିପଦା,  ଭବାନୀପାଟଣା ଓ କଟକରେ ୩୫,  କେନ୍ଦ୍ରାପଡ଼ାରେ ୩୪.୮, ସୁନ୍ଦରଗଡ଼ରେ ୩୪.୫ଡିଗ୍ରୀ ତାତି ଅନୁଭୂତ ହୋଇଛି । 

ଭୁବନେଶ୍ୱରରେ ତାତି ସ୍ୱାଭାବିକଠାରୁ ସାଢ଼େ  ୩.୩ ଡିଗ୍ରୀ ଅଧିକ  ଥିଲା । ବାରିପଦାରେ  ୨ ଓ ଅନୁଗୁଳରେ  ସ୍ୱାଭାବିକଠାରୁ ୧.୮ଡିଗ୍ରୀ ଅଧିକ ରହିଛି । ଅନେକ  ସ୍ଥାନରେ ରାତି ତାପମାତ୍ରା ବି  ସ୍ୱାଭାବିକଠାରୁ ଅଧିକ ରହିଛି । ଚାନ୍ଦବାଲିରେ  ୨.୪, ବାରିପଦାରେ ୨ଡିଗ୍ରୀ ଅଧିକ ରହିଛି । 

ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ  ଆର୍ଦ୍ରତା ଅଧିକ ରହିଥିଲା । ସକାଳ ସାଢ଼େ ୮ଟାରେ ହୀରାକୁଦରେ ୮୯% ଆର୍ଦ୍ରତା  ଥିଲା । ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଅଧିକ ତାତି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି  କହିଛନ୍ତି, ଏବେ କୌଣସି ଲଘୁଚାପ ସୃଷ୍ଟିର ସୂଚନା ନାହିଁ। ଆକାଶ ମେଘମୁକ୍ତ ଅଛି । ଏଥିପାଇଁ ଖରା ଅଧିକ ହେବାରୁ ତାତି ଅନୁଭୂତ ହୋଇଥିଲା। ତେବେ ମୌସୁମୀ ବର୍ଷା ସତ୍ତେ୍ୱ ୪ ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟିଆ ରହିଛି । ଭଦ୍ରକରେ ୨୭%, ଦେବଗଡ଼ରେ ୨୩%, ଝାରସୁଗୁଡ଼ାରେ ୨୨% ଓ କେନ୍ଦୁଝରରେ ୨୧% ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର  ୩୦ ତାରିଖ ଯାଏ ମୋଟ ୧୦୯୨ ମିମି ବର୍ଷା  ହୋଇଛି ।ରାଜ୍ୟରେ ମାତ୍ର ୫% ନିଅଣ୍ଟିଆ  ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ  ତଥ୍ୟ ରଖିଛି।