ଭୁବନେଶ୍ୱର,୧୩/୦୯:  ପଶ୍ଚିମ କେନ୍ଦ୍ରୀୟ ଓ ଆନ୍ଧ୍ରପ୍ରଦେଶ  ଉପକୂଳରେ ଥିବା ଉତ୍ତର ପଶ୍ଚିମ  ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ  ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା  ଧୀରେ ଧୀରେ ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ  ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ  ଗତି କରିବ । ଲଘୁଚାପ ପ୍ରଭାବରେ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ  ଅଧିକ ବର୍ଷା ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

ଶନିବାର କୋରାପୁଟ,  ମାଲକାନଗିରି, ନବରଙ୍ଗପୁର ଓ  କଳାହାଣ୍ଡିର ଅନେକ ସ୍ଥାନରେ  ଅଧିକ ବର୍ଷା ଆଶଙ୍କା ଅଛି । ଉପକୂଳ  ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର  ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । ରବିବାର ଉପକୂଳ  ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା  ଅଛି । ୧୫ ତାରିଖରେ ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା,  ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ରାୟଗଡ଼ାରେ ୪୧.୪ ମିମି ବର୍ଷା ରେକର୍ଡ  ହୋଇଛି । ନୟାଗଡ଼ରେ ୩୩.୨, କୋରାପୁଟରେ  ୨୦.୪, ଝାରସୁଗୁଡ଼ାରେ ୧୮.୪, କଟକରେ ୧୨.୪ ଓ  ଗୋପାଳପୁରରେ ୧୦.୯ ମିମି ବର୍ଷା ରେକର୍ଡ ହୋଇଛି ।