ଭୁବନେଶ୍ୱର, ୨୯/୦୫:ଓଡ଼ିଶାରେ ମୌସୁମୀ ବାୟୁ । ମୌସୁମୀ  ସ୍ପର୍ଶରେ ଗଛଲତା, ଜୀବଜନ୍ତୁ ହସି ଉଠିଛନ୍ତି । ଚାଷୀ ମୁହଁରେ ଆଶା ଓ ସମ୍ଭାବନାର ସ୍ମିତହାସ୍ୟ  ଖେଳି ଉଠିଛି । ବୁଧବାର ସମ୍ପୂର୍ଣ୍ଣ ମାଲକାନଗିରି  ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି ।  ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ  ଗଜପତି ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତବର୍ଷ ଜୁନ୍‌ ୭ ତାରିଖରେ ମୌସୁମୀ  ଓଡ଼ିଶାରେ ପହଞ୍ଚିଥିଲା । ଏଥର ଜୁନ୍‌ ମାସ ଆରମ୍ଭ ହେବା ଆଗରୁ, ବେଶ୍‌ ଆଗୁଆ ରାଜ୍ୟକୁ ଆସିଛି ।  ଏଥର ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ  ବି କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅପରାହ୍ନରେ  ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ।  ସକ୍ରିୟ ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ  ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ ରହିଛି ।

ଲଘୁଚାପ  ପ୍ରଭାବରେ ଗୁରୁବାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ  କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ  ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ  ବି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । 

କେନ୍ଦୁଝର, ଯାଜପୁର, ଜଗତ୍‌ସିଂହପୁର,  କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ,  ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ  ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ  ପବନ ବି ବହିପାରେ । କଟକ, ଜଗତସିଂହପୁର,  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,  ଦେବଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ  ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବହିବ । 

୩୦ ତାରିଖରେ  ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼,  ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼,  ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  ପୁରୀ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି  ମଧ୍ୟ ପୂର୍ବାନୁମାନ କରାଯାଇଛି । ୩୧, ୧, ୨ ଓ  ୩ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉତ୍ତର  ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା  ବର୍ଷା ହୋଇପାରେ । 

ବୁଧବାର ଢେଙ୍କାନାଳରେ  ୪୩ମିମି ବର୍ଷା ହୋଇଛି । ଛତ୍ରପୁରରେ  ୩୪, ଖୋର୍ଦ୍ଧାରେ ୨୧, ଦାରିଙ୍ଗିବାଡ଼ିରେ ୧୮,  କେନ୍ଦ୍ରାପଡ଼ାରେ ୧୦.୨, ତାଳଚେରରେ ୧୭.୨ ଓ  ଭବାନୀପାଟଣାରେ ୧୫.୮ ମିମି ବର୍ଷା ହୋଇଛି ।  

ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ  ୧୦୨ମିମି ବର୍ଷା ହୋଇଛି । କନ୍ଧମାଳ କୋଟଗଡ଼ରେ  ୧୦୦ମିମି, ଯାଜପୁର ବିଞ୍ଝାରପୁରରେ ୯୫, ଭଦ୍ରକ  ବାସୁଦେବପୁରରେ ୯୨, କେନ୍ଦ୍ରାପଡ଼ା ଆଳିରେ ୯୦,  କନ୍ଧମାଳ କେ ନୂଆଗାଁରେ ୮୬ ମିମି ବର୍ଷା ହୋଇଛି ।