ଭୁବନେଶ୍ୱର,୨୧/୧୧: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି । ୨୬ ତାରିଖ ବେଳକୁ ଏଠାରେ ବାତ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ଓଡ଼ିଶାକୁ କୌଣସି ପ୍ରଭାବ ନାହିଁ । ବରିଷ୍ଠ  ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି, ସୁମାତ୍ରା ପାଖ ଦକ୍ଷିଣ ପୂର୍ବ  ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇଛି । ଏହା ଆହୁରି ଘନୀଭୂତ ହେବ । ୨୨ ତାରିଖରେ ଲଘୁଚାପ ରୂପ ନେଇପାରେ । ୨୪ରେ  ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟା  ବା ୨୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ  ହୋଇପାରେ । ୨୯ ତାରିଖ ବେଳକୁ ଏହା ତାମିଲନାଡୁ  ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି । ତେବେ  ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ପଡ଼ିବନି । ୨୭ରୁ ୩୦ ତାରିଖ ଭିତରେ ବାୟୁର ଦିଗ  ବଦଳିବ । ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ବହିପାରେ । 

୨୭ରୁ ୨୯ ତାରିଖ ଯାଏ ଦକ୍ଷିଣ  ଉପକୂଳରେ ଓ ୨୮ରୁ ୩୦ ତାରିଖ ଯାଏ  ଆଭ୍ୟନ୍ତରରେ ପାଗ ମେଘୁଆ ରହିପାରେ । କୁହୁଡ଼ି  ବି ଦୃଶ୍ୟମାନ ହେବ । ଉପକୂଳ ଓଡ଼ିଶାରେ ୨୨ରୁ  ୨୪ ତାରିଖ ଯାଏ ସାମାନ୍ୟ କୁହୁଡ଼ି ଏବଂ ୨୭ରୁ ୨୯  ତାରିଖ ଯାଏ ହାଲୁକା ବର୍ଷା ସମ୍ଭାବନା ଅଛି । ଅନ୍ୟ  ମଡେଲ ଅନୁସାରେ ବି ଓଡ଼ିଶା ଉପରେ ବାତ୍ୟାର  କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି । 

ଆଗକୁ କୁହୁଡ଼ି ଓ ବାୟୁର ଆର୍ଦ୍ରତା ବଢ଼ିବା ଯୋଗୁ  ବିଭିନ୍ନ ଫସଲରେ ରୋଗ, ପୋକ ବଢ଼ିବା ସମ୍ଭାବନା  ଅଛି । ଜଉ ପୋକ ଓ ପତ୍ରଖିଆ ପୋକର ପ୍ରାଦୁର୍ଭାବ  ବଢ଼ିପାରେ । ଏଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ  ଦେଇଛନ୍ତି । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟରେ  ଉଭୟ ରାତି ଓ ଦିନ ତାପମାତ୍ରା ଅପରିବର୍ତ୍ତିତ  ରହିବ । ୨୨ ଓ ୨୩ ତାରିଖରେ ଭୁବନେଶ୍ୱର ଓ  ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୦.୫ ଡିଗ୍ରୀ ବଢ଼ିପାରେ । ଦକ୍ଷିଣ ଆଭ୍ୟନ୍ତରର କନ୍ଧମାଳ ଓ  ଗଜପତି ଜିଲ୍ଲାରେ ରାତି ତାପମାତ୍ରା ୧ଡିଗ୍ରୀ କମିପାରେ  ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ଜି ଉଦୟଗିରିରେ ବୁଧବାର ପାରଦ ସବୁଠୁ ଅଧିକ ଖସିଛି । ଏଠାରେ ରାତି ତାପମାତ୍ରା ସର୍ବନିମ୍ନ ୬.୨ଡିଗ୍ରୀ ରେକର୍ଡ ହୋଇଛି ।ଫୁଲବାଣୀରେ  ରାତି ତାପମାତ୍ରା ୯ଡିଗ୍ରୀ ରେକର୍ଡ ହୋଇଛି । ୧୮  ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।