ଭୁବନେଶ୍ୱର,୭/୦୯: ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଜଳକା ନଦୀର ଜଳସ୍ତର ବଢ଼ିବା ଯୋଗୁ ବାଲେଶ୍ୱରର କିଛି ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଶନିବାର ଜଳକା ନଦୀ ଜଳସ୍ତର କମିଛି । ଏହା ବିପଦ ସଙ୍କେତ ସ୍ତରଠାରୁ ତଳେ ରହିଛି । ଜଳକାର ମଥାନି ରୋଡ୍ରେ ଜଳସ୍ତର ୬.୪୮ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଏହାଠାରୁ ତଳେ ଜଳ ପ୍ରବାହିତ ହେଉଛି ।
ହୀରାକୁଦ ଜଳସ୍ତର ୬୨୬.୩୫ ଫୁଟ ରହିଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀରେ ଅଧିକ ଜଳ ପଶିଛି । ୨୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ୩.୮୫ ଲକ୍ଷ କ୍ୟୁସେକ୍ ଜଳ ପଶୁଥିବା ବେଳେ ୪.୨୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଜଳ କମୁଥିବାରୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି ।
ରବିବାର ସନ୍ଧ୍ୟା ୬ଟାରେ ୫.୫୦ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ । ଫଳରେ ମୁଣ୍ଡଳୀରେ ଛୋଟ ଧରଣର ବନ୍ୟା ସୃଷ୍ଟି ହୋଇପାରେ । ଜଳସ୍ତର କମିବା ଯୋଗୁ ତଳମୁଣ୍ଡକୁ ବିପଦ ଆସିବନି । ତେଲ ନଦୀରେ ବି ବର୍ଷା ନାହିଁ । ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସିତ ହେଉଛି । ଜଳ ପ୍ରବେଶ କମୁଥିବାରୁ ରେଙ୍ଗାଲିର ଗୋଟିଏ ଗେଟ୍ ବନ୍ଦ କରାଯିବ । କୌଣସି ନଦୀରେ ଏବେ ବନ୍ୟା ସ୍ଥିତି ନାହିଁ । ଗତକାଲି କୌଣସି ସ୍ଥାନରେ ଅଧିକ ବର୍ଷା ହୋଇନି ।