ଭୁବନେଶ୍ୱର ୧୨/୦୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଦକ୍ଷିଣ ଓଡ଼ିଶା ଓ ପାଖ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି। ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ମୁହାଁ ହେବ। ଓଡ଼ିଶା-ଛତିଶଗଡ଼ ଦେଇ ଗତି କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟ ବିସ୍ତୃତ ବର୍ଷା ସମ୍ଭାବନା ରହିଛି। ଅପରପକ୍ଷରେ ବିସ୍ତାରିତ ପୂର୍ବାନୁମାନ ମଡେଲ୍ର ବିଶ୍ଳେଷଣ ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ ପଶ୍ଚିମ କେନ୍ଦ୍ରୀୟ ଓ ପାଖ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ।
କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଭିତରେ ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି । ତେବେ ଭୁବନେଶ୍ୱର ଓ କଟକରେ ଶୁକ୍ରବାର ସାମାନ୍ୟ ତାପମାତ୍ରା କମିପାରେ । ହେଲେ ଶନିବାର ପୁଣି କିଛି ମାତ୍ରାରେ ବଢ଼ିବା ସହ ରବିବାର ସାମାନ୍ୟ କମିପାରେ । ବର୍ତ୍ତମାନ ପବନର ବେଗ ଅତ୍ୟନ୍ତ ଧିମା ରହିବା ସହ ଆର୍ଦ୍ରତା ଅଧିକ ରହୁଛି । ବାୟୁମଣ୍ଡଳର ନିମ୍ନ ଭାଗରୁ ଗରମ ପବନ ଉପରକୁ ଉଠିପାରୁନି । ତେଣୁ ଗରମ ପ୍ରକୋପ ଅଧିକ ଅନୁଭୂତ ହେଉଛି ।