ଭୁବନେଶ୍ୱର୦୨/୦୯: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଆସନ୍ତା ୫ଦିନ ଯାଏ ଢାଳିବ ବର୍ଷା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । 

​​​​​​​ମଙ୍ଗଳବାର ସକାଳରୁ ଟୁଇନ୍‌ ସିଟିରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅଫିସ ସମୟରେ ବର୍ଷା ଲାଗି ରହିଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଟୁଇନ୍‌ସିଟିରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ନୟାପଲ୍ଲୀ ଇସ୍କନ୍ ପାଖରେ ରାସ୍ତାରେ ପାଣି ଲହଡ଼ି ମାରୁଛି। ତେବେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ମଝିରେ ମଝିରେ ତୁହାକୁ ତାହୁ ଛେଚୁଛି ।

କୋରାପୁଟ ଓ  ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାରେ ଭାରୀ ବର୍ଷା ଆଶଙ୍କା ରହିଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ। 

ସେହିପରି ବୁଧବାର ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା  ରହିଛି । ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ  କୋରାପୁଟରେ ଭାରୀ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶାର  କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ  କରିଛି ।