ଭୁବନେଶ୍ୱର,୧୧/୦୫: ଏଥର ସଅଳ  ଆସିପାରେ ମୌସୁମୀ । ଜୁନ୍‌ ୧ ତାରିଖ ବେଳକୁ ଦକ୍ଷିଣ  ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ କେରଳ  ଛୁଇଁଥାଏ । କିନ୍ତୁ ଏଥର ମେ ୨୭ ତାରିଖ ବେଳକୁ ମୌସୁମୀ କେରଳରେ ପହଞ୍ଚିପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ (ଆଇଏମ୍‌ଡି) ତାଜା ଆକଳନ କରିଛି ।

ଆଇଏମ୍‌ଡି ପୂର୍ବାନୁମାନ କରି କହିଛି, ୨୭ ତାରିଖ  ବେଳକୁ ମୌସୁମୀ କେରଳ ସ୍ପର୍ଶ କରିବ । ମଡେଲ୍‌  ଅନୁସାରେ ୪ ଦିନ ଆଗୁଆ ବା ୪ ଦିନ ପରେ କେରଳ  ଛୁଇଁପାରେ । ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ୍‌ ୧ ତାରିଖରେ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଏଥର ଶୀଘ୍ର ଆସିବ।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥାଏ । ୨୭ ତାରିଖରେ କେରଳ ଛୁଇଁଲେ ଏହା ଓଡ଼ିଶାରେ ୬  ବା ୭ ତାରିଖ ସୁଦ୍ଧା ପହଞ୍ଚିଯିବ । ୪ ଦିନ ଆଗୁଆ ବା  ବିଳମ୍ବରେ ପହଞ୍ଚିଲେ ବି ଏହାକୁ ସ୍ୱାଭାବିକ ଧରାଯିବ ।  

୨୦୨୦ ମସିହା ଜୁନ୍‌ ୫ରେ ମୌସୁମୀ କେରଳ  ଛୁଇଁପାରେ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା ।  ୪ ଦିନ ଆଗୁଆ ବା ଜୁନ୍‌ ୧ ତାରିଖରେ ଏହା କେରଳ  ଛୁଇଁଥିଲା । ୨୦୨୧ ମେ ୩୧ ତାରିଖରେ ମୌସୁମୀ  କେରଳରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ବେଳେ ଜୁନ୍‌ ୩ ତାରିଖରେ ପହଞ୍ଚିଥିଲା । ୨୦୨୪  ମେ ୩୧ରେ ମୌସୁମୀ ପହଞ୍ଚିବ ବୋଲି ଆକଳନ  ହୋଇଥିବା ବେଳେ ମେ ୩୦ ତାରିଖରେ ପହଞ୍ଚିଥିଲା । 

ଏବେ ପାଇଁ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳିରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ୧୧ ତାରିଖ(ରବିବାର) ସମ୍ବଲପୁର,  ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ  ଗ୍ରୀଷ୍ମଲହରୀ ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ପ୍ରବଳ  ତାତି ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ  କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,  ଗଞ୍ଜାମ, ଗଜପତି ଓ ନବରଙ୍ଗପୁରର କିଛି ସ୍ଥାନରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଇଛି ।

୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର,  ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା,  ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ପବନର ଝଟ୍‌କା  ୪୦ରୁ ୫୦ କିମି ଛୁଇଁପାରେ । ପଶ୍ଚିମ ଓଡ଼ିଶାର  ଏକାଧିକ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ଉପକୂଳ  ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର  ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ  କରିବ। ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ଉପକୂଳ ଓଡ଼ିଶା  ସମେତ ଦକ୍ଷିଣ ଓଡ଼ିଶାରେ ଗରମ ଜାରି ରହିବ । 

୧୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ  ଲଘୁଚାପ ରୂପ ନେଇପାରେ ବୋଲି ସୋଆ ଜଳବାୟୁ ଓ  ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ  କରିଛନ୍ତି । ୧୫ ଓ ୧୬ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା  ସର୍ବାଧିକ ୪୨.୭ ଡିଗ୍ରୀ ରହିଥିଲା । ହୀରାକୁଦରେ  ୪୧.୭, ଝାରସୁଗୁଡ଼ାରେ ୪୧.୬, ଟିଟିଲାଗଡ଼ରେ  ୪୧.୫, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ  ୪୧, ଖୋର୍ଦ୍ଧାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।