ଭୁବନେଶ୍ୱର,୨୧/୦୫: ଆସନ୍ତା ୨୧ରୁ ୨୩ ତାରିଖ ଯାଏ  କାଳବୈଶାଖୀର ପ୍ରଭାବ ବଢ଼ିବ । ଏହା  ପ୍ରଭାବରେ ଘଡ଼ଘଡ଼ି ସହିତ ଅଧିକ  ବର୍ଷା ହୋଇପାରେ । ୪୦ରୁ ୫୦ କିମି  ବେଗରେ ପବନ ସହିତ ପବନର ଝଟ୍‌କା  ୬୦କିମି ଯାଏ ଯାଇପାରେ । ପାଣିପାଗ  ବିଭାଗ ଏଭଳି ସତର୍କ କରାଇଛି । 

୨୦ ତାରିଖରେ ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି,  ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ,  ନବରଙ୍ଗପୁର, ରାୟଗଡ଼ା, କୋରାପୁଟ,  ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ କାଳବୈଶାଖୀ  ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି  ଜାରି ରହିବ । 

୨୧ ତାରିଖରେ କାଳବୈଶାଖୀ ବର୍ଷା  ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା,  କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ,  କେନ୍ଦୁଝର ଓ ନବରଙ୍ଗପୁରକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି ହୋଇଛି । ଏ ସବୁ ଜିଲ୍ଲାର  ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା  ସହିତ ୪୦ରୁ ୫୦ କିମି ବେଗରେ  ପବନ ବୋହିବ । ପବନର ଝଟ୍‌କା ୬୦  କିମି ବି ଛୁଇଁଯିବ ବୋଲି ପୂର୍ବାନୁମାନ  ରହିଛି । ସେହିଭଳି ଖୋର୍ଦ୍ଧା, ନୟାଗଡ଼,  ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗିର, କଳାହାଣ୍ଡି କନ୍ଧମାଳ ଓ ସୁନ୍ଦରଗଡ଼ରେ ମଧ୍ୟ ବର୍ଷା ହୋଇପାରେ ।  ୨୨ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ  ସ୍ଥାନରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।  ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଘଡ଼ଘଡ଼ି  ସହ ବର୍ଷା ଆଶଙ୍କା ଅଛି । 

୨୩ ତାରିଖରେ ଗଜପତି, ଗଞ୍ଜାମ, କେନ୍ଦୁଝର  ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ୨୪ ଓ ୨୫ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  ଆଜି ଦକ୍ଷିଣ ଆରବ ସାଗରର ଅନେକ ଅଞ୍ଚଳ,  ମାଳଦ୍ୱୀପ ଏବଂ କାମରିନ ଅଞ୍ଚଳ, ଦକ୍ଷିଣ  ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗରର  କିଛି ଅଞ୍ଚଳ ଓ ଉତ୍ତରପୂର୍ବ ବଙ୍ଗୋପସାଗରର କିଛି  ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର  ହୋଇଛି । କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ  ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ  ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ  ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । 

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ  କାଳବୈଶାଖୀ ଶକ୍ତିହୀନ ହେବାକୁ ନେଇ ପାଣିପାଗ  ବିଶେଷଜ୍ଞମାନେ ଚିନ୍ତାପ୍ରକାଶ କରିଛନ୍ତି । ସହରରେ  କଂକ୍ରିଟ ନିର୍ମାଣ ବୃଦ୍ଧି ଓ ଆର୍ଦ୍ରଭୂମି ନଷ୍ଟ ପ୍ରଭାବ ଯୋଗୁ  ରାଜଧାନୀ ଏକ ସ୍ଥାନୀୟ ଉଷ୍ମ ଦ୍ୱୀପ ପାଲଟୁଛି । ଏହା  ବାୟୁମଣ୍ଡଳୀୟ ପରିସ୍ଥିତିକୁ ପ୍ରଭାବିତ କରୁଛି । ଝଡ଼  ଆଚରଣକୁ ପ୍ରଭାବିତ କରୁଛି । ଏହା ସହର ପାଖକୁ  ଆସିବା ବା ଅତିକ୍ରମ କରିବା ସମୟରେ ଝଡ଼ ବିଭାଜିତ  ବା ଦୁର୍ବଳ ହେଉଛି । ଦିଗ ପରିବର୍ତ୍ତନ କରୁଛି । ଆଜି  ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ  ଥିଲା । ବଲାଙ୍ଗିରରେ ୪୦.୮, ହୀରାକୁଦରେ ୪୦.୧,  ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।  ଆଜି କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳରେ  ୨୯.୪, ଭଦ୍ରକରେ ୨୬.୪, ଯାଜପୁରରେ  ୨୪.୬, କଟକରେ ୨୩.୪ମିମି ବର୍ଷା ହୋଇଛି ।