ଭୁବନେଶ୍ୱର,୦୧/୦୨: ଏବେଠାରୁ  ତାଉ ଦେଖାଇଲାଣି । ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ । ପାରଦ  ୩୪ ଡିଗ୍ରୀ ସେଲସିୟସ୍‌ ପାର୍‌ । ଏଇତ  ଆରମ୍ଭ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ  ପ୍ରବାହ । ଜାଳିବ, କଲବଲ କରିବ । ଛଟପଟ  କରିଦେବ ଜନଜୀବନକୁ । ସାରା ଓଡ଼ିଶା  ଜଳିବ । ଗରମ ବାମ୍ଫରେ ଭାଜି ହେବ ଉପକୂଳ  ଓଡ଼ିଶା । ଏଭଳି ପୂର୍ବାନୁମାନ ଦେଖାଇଲେଣି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନ ସଂସ୍ଥା । 

ଜାନୁଆରୀ ତାଉ ସଙ୍କେତ  ଦେଲାଣି- ଏ ବର୍ଷ ରାଜ୍ୟ ଜଳିବ  ନିର୍ଘାତ ଖରାରେ । କଲମ୍ବିଆ  ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍‌ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ,  ମାର୍ଚ୍ଚ, ଏପ୍ରିଲ ମାସରେ ଭାରତରେ ଭୀଷଣ  ଗରମ ଅନୁଭୂତ ହେବ । ସମ୍ଭାବ୍ୟ ଚିତ୍ର ଦେଖାଉଛି, ଉତ୍ତର ଭାରତର କିଛି ଅଂଶ,  ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି ରାଜ୍ୟ  ସହ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରଚଣ୍ଡ  ଗ୍ରୀଷ୍ମ ପ୍ରକୋପ ରହିବ । ଗତ ବର୍ଷ ତୁଳନାରେ  ଏ ବର୍ଷ ଓଡ଼ିଶା ସମେତ ଦେଶରେ  ଅଧିକ ଗରମ ଅନୁଭୂତ ହୋଇପାରେ ।  

ଏପଟେ ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି)ର ଫେବ୍ରୁଆରୀ ମାସ ପାଇଁ  ପୂର୍ବାନୁମାନ ଜାରି କରିଛି । ଏହି ଆକଳନ  ଅନୁସାରେ ଏଥର ଫେବ୍ରୁଆରୀରେ ଶୀତ  ପ୍ରକୋପ ସମ୍ଭାବନା କମ୍‌ । ସାରା ଦେଶରେ  ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ  ବେଶ୍‌ ଅଧିକ ରହିପାରେ । ଓଡ଼ିଶାରେ ବି  ଶୀତ ରହିବନି । ଦିନ ଓ ରାତି ତାପମାତ୍ରା  ସ୍ୱାଭାବିକଠାରୁ ଢେର ଅଧିକ ରହିବ । ମଝିରେ  ମଝିରେ ବର୍ଷା ସମ୍ଭାବନା ବି ଦେଖାଯାଉନି ।  

ସମ୍ଭାବ୍ୟ ଚିତ୍ର ଅନୁସାରେ ଓଡ଼ିଶାରେ ଫେବ୍ରୁଆରୀରେ ଖରା ପ୍ରକୋପ ଅଧିକ  ରହିବ । ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ  ବେଶି ଗରମ ରହିପାରେ । ବର୍ତ୍ତମାନ ରାଜ୍ୟରେ  ଶୀତ ଗାଏବ । ଜାନୁଆରୀର ଶେଷ ଦିନରେ  ରାଜ୍ୟରେ ଅସ୍ୱାଭାବିକ ଗରମ ହେଲାଣି ।  ଶୁକ୍ରବାର ୧୦ଟି ସ୍ଥାନରେ ଦିନ ତାପମାତ୍ରା  ୩୩ ଡିଗ୍ରୀ ସେଲସିୟସ୍‌ ଡେଇଁଛ ଝାରସୁଗୁଡ଼ା ତାପମାତ୍ରା ୩୪.୫, ଭବାନୀପାଟଣା  ୩୪, ପାରଳାଖେମୁଣ୍ଡିରେ ୩୪ ଡିଗ୍ରୀ ଛୁଇଁଛି ।  

ଜାନୁଆରୀ ରେକର୍ଡ କହୁଛି, ଏହା ଝାରସୁଗୁଡ଼ା ପାଇଁ ଜାନୁଆରୀର ତୃତୀୟ ସର୍ବୋଚ୍ଚ ତାପମାତ୍ରା । ତେବେ ଭବାନୀପାଟଣା ପାଇଁ ଏହା ଜାନୁଆରୀର  ଦ୍ୱିତୀୟ ସବାଧିକ ତାପମାତ୍ରା । ୧୯୭୩ ମସିହା  ପରେ ଭବାନୀପାଟଣାରେ ଜାନୁଆରୀରେ ଏତେ ତାତି ଅନୁଭୂତ ହୋଇଛି। ଝାରସୁଗୁଡ଼ା ଓ ଭବାନୀପାଟଣାରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଛି । 

ବିଶେଷଜ୍ଞଙ୍କ ପୂର୍ବାନୁମାନ ହେଲା, ରାଜ୍ୟରେ  ଏବେ ଖରା ବଢ଼ିବ । ବିଶେଷ କରି ଫେବ୍ରୁଆରୀ ୧, ୨,  ୫ ଓ ୬ ତାରିଖରେ ଅଧିକ ପ୍ରକୋପ ରହିବ ଖରାର । ୩ ଓ ୪ରେ ତାପମାତ୍ରା ସାମାନ୍ୟ କମିପାରେ ।  

ପାଣିପାଗ ବିଭାଗ ଅନୁସାରେ ରାତି ତାପମାତ୍ରାରେ ଏବେ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । କୁହୁଡ଼ି ପ୍ରକୋପ ଆହୁରି ୨ଦିନ ଲାଗି ରହିବ । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମରେ ଘନ  କୁହୁଡ଼ି ରହିବ ଶନିବାର ସକାଳେ । ଏସବୁ ଜିଲ୍ଲାର କିଛି  ଅଞ୍ଚଳ ସମେତ ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ,  ସୁନ୍ଦରଗଡ଼, ମୟୂରଭଞ୍ଜ, ନୟାଗଡ଼ ଓ କୋରାପୁଟର  ସ୍ଥାନେ ସ୍ଥାନେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।  ୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ରହିବ ।  ତା’ପରେ କୁହୁଡ଼ି କମିବ ।

 ୨୦୨୩ ପରେ ୨୦୨୪ରେ ବି  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ବିଶ୍ୱ ତାତିଥିଲା । ଓଡ଼ିଶା  ବି ଜଳିଥିଲା ଭୟଙ୍କର ତାତିରେ। ଏ ବର୍ଷ ପୁଣି ଥରେ  ଭୟାନକ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଘାରିଲାଣି । ଚଳିତବର୍ଷ  ଜାନୁଆରୀ ମାସ ବିଶ୍ୱ ପାଇଁ ସବୁଠାରୁ ଉତ୍ତପ୍ତ ଥିଲା।  

ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଶୁକ୍ରବାର ବଲାଙ୍ଗୀର ୩୩.୮, ସମ୍ବଲପୁର ୩୩.୬, ହୀରାକୁଦ  ୩୩.୬, ଭଦ୍ରକ ୩୩.୬, ଅନୁଗୁଳ ୩୩.୧,  ସୋନପୁର ୩୩.୧, ନୂଆପଡ଼ା ୩୩ ଡିଗ୍ରୀ ଥିଲା ।  ଭୁବନେଶ୍ୱର ତାପମାତ୍ରା ୩୨.୪ ଥିବାବେଳେ  ଜଗତସିଂହପୁର ଓ ନବରଙ୍ଗପୁର ୩୨.୫ ଡିଗ୍ରୀ ଥିଲା ।  

ଗୁରୁବାର ଅପରାହ୍ନ ସାଢ଼େ ୨ଟାବେଳେ ଭୁବନେଶ୍ୱର  ତାପମାତ୍ରା ୩୦ ଡିଗ୍ରୀ ଥିବାବେଳେ ଶୁକ୍ରବାର ଆହୁରି ୨ ଡିଗ୍ରୀ ବଢ଼ିଯାଇଥିଲା । ରାତି ତାପମାତ୍ରା ବଢ଼ିଲାଣି ।  ଏମିତିକି ବିନା ପଙ୍ଖାରେ ରାତିରେ ଶୋଇବା ଏବେ  କଷ୍ଟକର ହେଲାଣି । କୋରାପୁଟ ଓ କନ୍ଧମାଳକୁ  ଛାଡ଼ିଦେଲେ ବାକି ସବୁ ଜିଲ୍ଲାରେ ରାତି ତାପମାତ୍ରା ୧୫  ଡିଗ୍ରୀ ଉପରେ ରହିଛି ।