ଭୁବନେଶ୍ୱର,୦୯/୦୨: ଆଜିଠୁ ରାତିରୁ ତାପମାତ୍ରା ପୁଣି ଉପରମୁହାଁ ହୋଇପାରେ । କିଛି ସ୍ଥାନରେ  ପାରଦ ୨ରୁ ୪ ଡିଗ୍ରୀ ବଢ଼ିବ  ବୋଲି ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଗତ  ଦୁଇ ଦିନ ଧରି କିଛି ସ୍ଥାନରେ ରାତି ତାପମାତ୍ରା ଖସୁଥିଲା । ଶୁକ୍ରବାର ରାତିରେ ରାଉରକେଲାର ପାରଦ  ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା । ଝାରସୁଗୁଡ଼ା, କେନ୍ଦୁଝର, ଦାରିଙ୍ଗିବାଡ଼ି, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବି ପାରଦ ଖସିଛି ।

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  ଆକଳନ କରି କହିଛନ୍ତି, ଏବେ  ପଶ୍ଚିମା ବାୟୁ ପ୍ରବାହ ଉତ୍ତର ପୂର୍ବ ଆଡ଼କୁ ଯାଉଛି । ଗୁରୁଚାପର ପ୍ରଭାବ  ବି କମିଛି । ଦେଶର ଉତ୍ତର ପଶ୍ଚିମ  ଦିଗରୁ ରାଜ୍ୟକୁ ଥଣ୍ଡା ପବନ  ଆସୁଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ଆସନ୍ତା ୫ ଦିନ  ଯାଏ ଏଭଳି ସ୍ଥିତି ରହିବ । କିଛି  ସ୍ଥାନରେ ୧ରୁ ୨ ଡିଗ୍ରୀ ବଢ଼ିଲେ  ଅନ୍ୟ ସ୍ଥାନରେ ସେତିକି କମିବ । ରାତିରେ ପାଗ ଆରାମଦାୟକ ରହିବ  ବୋଲି ସେ କହିଛନ୍ତି ।

ରାଉରକେଲାରେ ପାରଦ ୯.୭ ଡିଗ୍ରୀ ରେକର୍ଡ ହୋଇଛି ।  ଝାରସୁଗୁଡ଼ାରେ ୧୧.୬, ସୁନ୍ଦରଗଡ଼ରେ ୧୨.୭, ଫୁଲବାଣୀରେ  ୧୩.୫, କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୫, ଦାରିଙ୍ଗିବାଡ଼ି,  ଭଦ୍ରକ ଓ ନୂଆପଡ଼ାରେ ୧୫, ବାରିପଦାରେ ୧୫.୫, ସମ୍ବଲପୁରରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି । 

ଶନିବାର ଅନୁଗୁଳରେ ଦିନ ତାପମାତ୍ରା  ୩୪.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୪.୬, ପାରଳାଖେମୁଣ୍ଡିରେ ୩୪, ବୌଦ୍ଧରେ ୩୩.୫, ସମ୍ବଲପୁର  ଓ ସୁନ୍ଦରଗଡ଼ରେ ୩୩.୪, ବଲାଙ୍ଗିର ଓ କୋରାପୁଟରେ ୩୩.୨, ନୂଆପଡ଼ାରେ ୩୩, ଟିଟିଲାଗଡ଼ରେ ୩୨.୫ ଡିଗ୍ରୀ ରହିଥିଲ।