ଭୁବନେଶ୍ୱର,୨୪/୦୩: ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ  ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା  ହୋଇପାରେ । ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ । ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ  ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨  ମିମି ବର୍ଷା ହୋଇଛି । ନୟାଗଡ଼ରେ ୨୮.୨, କଟକରେ ୨୮,  ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬,  କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ  ୧୨.୨, ତାଳଚେରରେ ୧୨, ଖୋର୍ଦ୍ଧାରେ ୧୧ ଓ ଦେବଗଡ଼ରେ  ୧୦.୨ମିମି ବର୍ଷା ରେକର୍ଡ ହୋଇଛି । ରବିବାର ସକାଳରୁ ସନ୍ଧ୍ୟା  ଭିତରେ ଅନୁଗୁଳ ଓ ତାଳଚେରରେ କାଁ ଭାଁ ବର୍ଷା ହୋଇଛି । 

ରବିବାର ମାଲକାନଗିରିରେ ଦିନ ତାପମାତ୍ରା ସବୁଠୁ ଅଧିକ  ୩୭.୩ ଡିଗ୍ରୀ ଥିଲା । ଗତକାଲି ତୁଳନାରେ ରାଜ୍ୟର  ବିଭିନ୍ନ ସ୍ଥାନର ତାପମାତ୍ରା ସାମାନ୍ୟ ବଢ଼ିଛି । ନବରଙ୍ଗପୁରରେ  ୩୫.୫ ଭବାନୀପାଟଣାରେ ୩୫, କୋରାପୁଟରେ ୩୪.୮,  ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୩୪ ଏବଂ ଖୋର୍ଦ୍ଧାରେ ୩୩  ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଆଗକୁ ତାତି ଆହୁରି  ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।