ଭୁବନେଶ୍ୱର ୨୫/୧୦: ମାଡ଼ି ଆସୁଛି ଭୀଷଣ ବାତ୍ୟା ! ଏବେ ବଙ୍ଗୋପସାଗରରେ ବଳ ଗୋଟାଉଛି ‘ମୋନ୍ଥା’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସକ୍ରିୟ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟ ଅଧିକ ଘନୀଭୂତ ହେବ। ଆଗକୁ ଘନୀଭୂତ ହୋଇ ୨୬ରେ ଗଭୀର ଅବପାତରେ (ଡିପ୍ ଡିପ୍ରେସନ) ରୂପ ନେବ । ୨୭ ସକାଳ ସୁଦ୍ଧା ଦକ୍ଷିଣ- ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହା ପରେ ଅଧିକ ବଳ ଗୋଟାଇ ୨୮ ତାରିଖରେ ଭୀଷଣ ଝଡ଼ର ରୂପ ନେବ ‘ମୋନ୍ଥା’। ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂର ରହିଛି ଅବପାତ। ବିଶାଖାପାଟଣାରୁ ୯୯୦ କିଲୋମିଟର ଦୂରରେ କେନ୍ଦ୍ରଭୂତ ରହିଛି। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି ।୨୪ ଘଣ୍ଟାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ରାଜ୍ୟରେ ବର୍ଷାର ବିସ୍ତ ବଢ଼ିବ।
ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନ ବେଗ ଘଣ୍ଟା ପ୍ରତି ୫୦-୬୦ କିମି ରହିପାରେ । ପବନର ଝଟକା ୭୦କିମି ପର୍ଯ୍ୟନ୍ତ ଯାଇପାରେ । ଆସନ୍ତା ୨୬ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ୨୫ ଓ ୨୬ରେ ଦକ୍ଷିଣ ଓ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୭ରେ ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତି, ରାୟଗଡ଼ାରସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ;ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।
୨୮ ଓ ୨୯ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୨୮ରେ କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ ଓ ଯାଜପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୯ରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୩୦ରୁ ବର୍ଷା କମିବ । ଉପକୂଳର ଅଳ୍ପ କିଛି ସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମବର୍ଷା ହେବ