ଭୁବନେଶ୍ୱର,୦୧/୦୮:  ଜୁଲାଇରେ ଓଡ଼ିଶାକୁ କୃପା ବର୍ଷା କରିଥିଲା ମୌସୁମୀ ।  ମାତ୍ର ଅଗଷ୍ଟରେ ମୌସୁମୀ ଦେଇପାରେ ଧୋକା । ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା କମିଯାଇପାରେ । ଏ ପୂର୍ବାନୁମାନ ଯଦି ସତ ହୁଏ,  ଚାଷୀ କୂଳର ଚିନ୍ତା ବଢ଼ିପାରେ । ଏପଟେ ତାଜା ସ୍ଥିତି ଯାହା, ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ହେବନି । କାଁ  ଭାଁ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଅପରପକ୍ଷରେ  ଦିନ ତାପମାତ୍ରା ସ୍ୱାଭାବିକଠାରୁ  ଅଧିକ ରହିପାରେ । 

ଭାରତୀୟ ପାଣିପାଗ  ବିଭାଗ (ଆଇଏମଡି) ପକ୍ଷରୁ  ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ମୌସୁମୀ ବର୍ଷାର  ସମ୍ଭାବ୍ୟ ଆକଳନ ଜାରି କରାଯାଇଛି । ଏହି ପୂର୍ବାନୁମାନ  କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦେଶରେ  ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ହେଲେ ଉତ୍ତର  ପୂର୍ବ ଭାରତର ଅନେକ ଅଞ୍ଚଳ, ପାଶ୍ୱର୍ବର୍ତ୍ତୀ ପୂର୍ବ ଭାରତରେ ବର୍ଷା କମ୍‌ ରହିପାରେ । ସମ୍ଭାବ୍ୟ ଚିତ୍ରରୁ  ଜଣାପଡ଼ୁଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଶେଷ ଅଗଷ୍ଟ ଓ ସେପ୍ଟେମ୍ବର  ମାସରେ ଓଡ଼ିଶାରେ ଭଲ ବର୍ଷା ଦେଇନପାରେ । ଦକ୍ଷିଣ, ଉପକୂଳ ଓ  ଉତ୍ତର ଓଡ଼ିଶାର କିଛି ଜାଗାରେ ନିଅଣ୍ଟିଆ ରହିପାରେ ।  

ତେବେ ଅଗଷ୍ଟ ମାସରେ ଓଡ଼ିଶାରେ ବର୍ଷା ପରିମାଣ ବହୁ  ମାତ୍ରାରେ କମିପାରେ । ଉପକୂଳ,ଦକ୍ଷିଣ, କେନ୍ଦ୍ରୀୟ, ଉତ୍ତର,  ପଶ୍ଚିମ ସବୁଠି ବର୍ଷା କମିବ । ପଶ୍ଚିମର କିଛି ଜାଗା ଅଧିକ ଶୁଖିଲା  ରହିପାରେ । କାଁ ଭାଁ ସ୍ୱାଭାବିକ ସ୍ଥିତି ରହିବ । ସ୍ୱାଭାବିକଠାରୁ ହାରାହାରି  ୩୫%ରୁ ୪୫% ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ବର୍ଷା କମିପାରେ ।  ଅଗଷ୍ଟରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଉପରେ  ରହିବ । ବର୍ତ୍ତମାନ ଆସନ୍ତା ୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଅଳ୍ପ କିଛି ଜାଗାରେ ବର୍ଷା ହେବ । 

ଶୁକ୍ରବାର ଅନେକ  ଜିଲ୍ଲାରେ ବଜ୍ରପାତ ଆଶଙ୍କା ଅଛି । ଦିନ ତାପମାତ୍ରା ଅନେକ ସ୍ଥାନରେ  ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିପାରେ । ୬ରୁ ୮ ତାରିଖ  ପାଖାପାଖି ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ହୋଇପାରେ । ୮ରୁ ୧୩ ତାରିଖ  ଭିତରେ ବର୍ଷା ପରିମାଣ କିଛି ମାତ୍ରାରେ ବଢ଼ିପାରେ ।  

ଅନ୍ୟପକ୍ଷରେ କୃଷି ପାଣିପାଗ ବିଶାରଦ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଅଗଷ୍ଟ ମାସରେ  ଓଡ଼ିଶାରେ ବର୍ଷା ସ୍ୱାଭାବିକ ରହିପାରେ । ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକ  କିମ୍ବା ସାମାନ୍ୟ କମ୍‌ ବର୍ଷା ସମ୍ଭାବନା ଅଛି । ଉପକୂଳରେ ବର୍ଷା ଅଧିକ  ରହିବାର ୪୫% ସମ୍ଭାବନା ଅଛି । ଅଗଷ୍ଟ ମାସରେ ବର୍ଷା ଦିନ ସଂଖ୍ୟା  ରହିବା ସହ ତାପମାତ୍ରା ଅଧିକ ରହିପାରେ ।   

ପ୍ରଫେସର ପଶୁପାଳକ କହିଛନ୍ତି, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ (୩ ମାସ) ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା  ସମ୍ଭାବନା ଅଛି । ଅଗଷ୍ଟରେ ଲଘୁଚାପ ଜନିତ ବର୍ଷା କମ୍‌ ଥିବାବେଳେ  ପ୍ରାୟତଃ ମୌସୁମୀ ପ୍ରଭାବରୁ ବର୍ଷା ହେବ । ପରବର୍ତ୍ତୀ ୩ ମାସରେ ଲଘୁଚାପ ଜନିତ ବର୍ଷା ଅଧିକ ରହିପାରେ ।   

ଗୁରୁବାର ନୟାଗଡ଼ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌  ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ପାରଦ ୩୨-୩୪ ଡିଗ୍ରୀ  ଭିତରେ ଅଛି । ଜୁନ୍‌ ପହିଲାରୁ ଏଯାବତ୍‌ ରାଜ୍ୟରେ ୬୧୩.୯  ମିଲିମିଟର ବର୍ଷା ହୋଇଛି, ଯାହାକି ୧୧% ଅଧିକ । ୪ଟି ଜିଲ୍ଲାକୁ  ଛାଡ଼ି ବାକି ସବୁଠି ବର୍ଷା ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ହୋଇଛି । ପୁରୀରେ ୩୫%, ଗଜପତିରେ ୩୩%, ଗଞ୍ଜାମରେ ୨୬% ଓ  କଳାହାଣ୍ଡିରେ ୨୨% ବର୍ଷା ନିଅଣ୍ଟିଆ ରହିଛି । ସୁନ୍ଦରଗଡ଼ରେ ୫୮%,  ମୟୂରଭଞ୍ଜରେ ୪୯%, କେନ୍ଦୁଝରରେ ୪୯%, ଦେବଗଡ଼ରେ  ୪୬%, ବୌଦ୍ଧରେ ୩୪%, କୋରାପୁଟରେ ୩୪%, ଝାରସୁଗୁଡ଼ାରେ  ୨୯%, ସୋନପୁରରେ ୨୬%, ସମ୍ବଲପୁରରେ ୨୧% ଅଧିକ ବର୍ଷା  ହୋଇଛି । ବାକି ୧୭ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି ।