ଭୁବନେଶ୍ୱର,୨୮/୦୪: କାଳବୈଶାଖୀ ପ୍ରଭାବରେ ପୂରା ରାଜ୍ୟରେ ପାଗ ବଦଳିବା ଯୋଗୁ ତାତି  ତଳମୁହାଁ ହୋଇଛି । କିଛିଟା ଆଶ୍ୱସ୍ତି ମିଳିଛି । ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି,  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ  କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । 

ରବିବାର ସକାଳ ସାଢ଼େ ୧୧ଟା ବେଳକୁ ଝାରସୁଗୁଡ଼ାରେ ତାପମାତ୍ରା  ଥିଲା ୪୧.୮ ଡିଗ୍ରୀ । ରବିବାର ସେ ସମୟରେ ତାତି  ୩୨ ଡିଗ୍ରୀକୁ ଖସି ଆସିଥିଲା । ସମ୍ବଲପୁରରେ ୩୯.୪  ଡିଗ୍ରୀରୁ ୨୯.୮ ଡିଗ୍ରୀକୁ ଖସିଥିଲା । ହୀରାକୁଦରେ  ୩୮.୨ ଡିଗ୍ରୀରୁ ୨୯.୬ ଡିଗ୍ରୀ ଓ ରାଉରକେଲାରେ  ୩୮.୮ରୁ ୨୯.୪ ଡିଗ୍ରୀକୁ ଖସି ଯାଇଥିଲା ।  

ଆଗକୁ ଦିନ ତାପମାତ୍ରା ଆହୁରି କମିପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪  ଘଣ୍ଟାରେ ଦିନର ତାତି ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ।  ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ  କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ ।  ପବନର ଝଟ୍‌କା ୫୦ରୁ ୬୦ କିମି ବେଗ ଯାଏ ଛୁଇଁପାରେ  ବୋଲି ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି । 

କେବଳ ଏହି ୯ଟି ଜିଲ୍ଲା ନୁହେଁ, ବାକି ଜିଲ୍ଲାରେ  ବି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର,  କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ  ମାଲକାନଗିରିରେ କାଳବୈଶାଖୀ  ପ୍ରଭାବରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ ।  ଜୋର୍‌ରେ ପବନ  ବହିବା ସହ ପବନର  ଝଟ୍‌କା ୪୦ରୁ ୫୦  କିମି ଯାଏ ଛୁଇଁପାରେ ବୋଲି ପାଣିପାଗ ବିଭାଗ  ସତର୍କ କରାଇଛି । 

ଶନିବାର  ଝାରସୁଗୁଡ଼ାରେ ୪୪.୭ ଡିଗ୍ର ତାପମାତ୍ରା ରେକର୍ଡ ହେବା ସହ ରାଜ୍ୟର ସବୁଠୁ  ଉତ୍ତପ୍ତ ସହର ପାଲଟିଥିଲା । ରବିବାର ଏଠାରେ ତାପମାତ୍ରା ୩୫ ଡିଗ୍ରୀକୁ ଖସିଛି । ଭୁବନେଶ୍ୱରର  ଦିନ ତାପମାତ୍ରା ସର୍ବାଧିକ ୩୮.୧ ଡିଗ୍ରୀ ରହିଛି ।  ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିଛି।