ଭୁବନେଶ୍ୱର,୦୨/୦୩: ଚଳିତବର୍ଷ  ପ୍ରଥମଥର ପାଇଁ ତାତି ୩୮ ଡିଗ୍ରୀ ଟପିଛି ।  ଶନିବାର ଟିଟିଲାଗଡ଼ରେ ତାପମାତ୍ରା  ସର୍ବାଧିକ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି ।  ଏହା ରାଜ୍ୟର ତତଲା ସହର ପାଲଟିଛି ।  ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା  ଚିନ୍ତାର କାରଣ ପାଲଟିଛି । ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ  ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।  ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି । 

ମାର୍ଚ୍ଚ ମାସ ଆରମ୍ଭ  ହେଉ ହେଉ ତାତି ୩୮ ଡିଗ୍ରୀ ଟପି ସାରିଲାଣି । ଶନିବାର  ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିଛି । ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗୀରରେ ୩୮,  ସୋନପୁରରେ ୩୭.୭, ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ଭବାନୀପାଟଣାରେ ୩୭.୨,  ହୀରାକୁଦରେ ୩୭.୧, ବୌଦ୍ଧରେ ୩୭ ଓ  ବାରିପଦାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି । 

ଶୁକ୍ରବାର ଝାରସୁଗୁଡ଼ାରେ ଦିନବେଳାର ତାତି  ୩୭ ଡିଗ୍ରୀ ଥିଲା । ଶନିବାର ୧ଡିଗ୍ରୀରୁ ଅଧିକ  ବଢ଼ିଛି । ସମ୍ବଲପୁରରେ ବି ୧ଡିଗ୍ରୀରୁ ଅଧିକ ବଢ଼ିଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ଦିନ ତାତି  ୩୪.୨ ଡିଗ୍ରୀ ରହିଛି । ଆସନ୍ତା ୪ ତାରିଖ ଯାଏ ତାପମାତ୍ରା  ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ  ସାହୁ ପୂର୍ବାନୁମାନ କରିଛନ୍ତି । ଏବେ ଦେଶର ପଶ୍ଚିମ  ଭାଗରୁ ରାଜ୍ୟକୁ ପବନ ଆସୁଛି । ୫ ଓ ୬ ତାରିଖରୁ ଉତ୍ତରାଖଣ୍ଡ ଓ ହିମାଳୟରୁ ପବନ ଆସିବ ।

ଏହା ପ୍ରଭାବରେ ତାତି କମିଯିବ ବୋଲି ସେ ଆକଳନ  କରିଛନ୍ତି । ରବିବାର ଝାରସୁଗୁଡ଼ାରେ ତାତି ୩୮ ଡିଗ୍ରୀ  ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ରାଉରକେଲା, ସୁନ୍ଦରଗଡ଼, ଟିଟିଲାଗଡ଼, ଢେଙ୍କାନାଳ,  ବୌଦ୍ଧ, ଭବାନୀପାଟଣା, ସୋନପୁର ଓ ବଲାଙ୍ଗୀରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ରହିବ ବୋଲି ଆକଳନ  କରାଯାଇଛି । ୩ ଓ ୪ ତାରିଖରେ ବି ପଶ୍ଚିମ ଓଡ଼ିଶାର  ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ରହିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।