ଭୁବନେଶ୍ୱର,୧୨/୧୧: ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ । ଏହା ପ୍ରଭାବରେ ଅଧିକ ଶୀତ  ଅନୁଭୂତ ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

ସୋମବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୧୫.୨ ଡିଗ୍ରୀ ରେକର୍ଡ  ହୋଇଥିଲା । ଅନୁଗୁଳରେ ୧୬, କେନ୍ଦୁଝରରେ ୧୭, କୋରାପୁଟ ଓ ଭବାନୀପାଟଣାରେ  ୧୬.୫, ନବରଙ୍ଗପୁରରେ ୧୭, ରାୟଗଡ଼ାରେ ୧୮, ରାଉରକେଲାରେ ୧୮.୪,  ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨,  ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ ହୋଇଛି । 

ବୁଧବାର  ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହାଲୁକା  ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ପାଗ  ଶୁଖିଲା ରହିବ । 

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି  ହୋଇଛି । ଏହା ପଶ୍ଚିମ ଦିଗରେ ଗତି କରିବା ସହ ଦୁଇ ଦିନ ଭିତରେ ତାମିଲନାଡୁ ଓ  ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ । ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବନି ।