ଭୁବନେଶ୍ୱର,୦୭/୧୨: ରାଜ୍ୟରୁ ଏବେ ଶୀତ ଗାଏବ ହୋଇଯାଇଛି ।  ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫  ଡିଗ୍ରୀ ଉପରେ ରହୁଛି । ରାତିରେ ଶୀତ ବଦଳରେ ଗରମ ଅନୁଭୂତ ହେଉଛି ।  ଦିନବେଳା ତାତି ୩୦ ଡିଗ୍ରୀ ଉପରେ  ରହୁଛି । ଶନିବାରଠାରୁ ରାତି ତାପମାତ୍ରା  ୨ରୁ ୪ ଡିଗ୍ରୀ ଖସିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ତେବେ ୯ ତାରିଖରୁ ପାରଦ ଖସିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ  ବିଶେଷଜ୍ଞ କହିଛନ୍ତି । ଆସନ୍ତା ୧୪  ତାରିଖରେ ବଙ୍ଗୋପସାଗରରେ ଆଉ  ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର  ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । 

ଡ. ପଶୁପାଳକ ଆକଳନ କରି  କହିଛନ୍ତି, ଦକ୍ଷିଣ ଆଭ୍ୟନ୍ତରରେ ୯ ତାରିଖରୁ  ରାତି ତାପମାତ୍ରା କମିବ । ୧୦ ତାରିଖରୁ  ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ରାତି  ତାପମାତ୍ରା ଖସିବ । ଶୁକ୍ରବାର ଓ ଶନିବାର  ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଦକ୍ଷିଣ  ଆଭ୍ୟନ୍ତରରେ ୮ ତାରିଖରେ ସ୍ୱଳ୍ପ କୁହୁଡ଼ି  ଦେଖାଯିବ । ଭୁବନେଶ୍ୱର ସମେତ ଦକ୍ଷିଣ  ଉପକୂଳରେ ୭ରୁ ୯ ତାରିଖ ମେଘୁଆ  ପାଗ ରହିବ । ୯ରେ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବ । ୭ରୁ ଦକ୍ଷିଣ ପୂର୍ବ  ଆଭ୍ୟନ୍ତରରେ, ୮ରୁ ୯ ଯାଏ ଦକ୍ଷିଣ ପଶ୍ଚିମ  ଆଭ୍ୟନ୍ତରରେ ଓ ୯ରୁ ୧୦ ଯାଏ ପଶ୍ଚିମ  ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ  ମେଘୁଆ ରହିପାରେ । 

ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି  ଘନୀଭୂତ ହେବ । ୧୨ ତାରିଖରେ ଏହା  ଶ୍ରୀଲଙ୍କା ଉପକୂଳ ଛୁଇଁପାରେ । ୧୪ରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ  ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେବ । ୪୮ ଘଣ୍ଟାରେ ଏହା ଅବପାତ  ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ  ମୁହାଁଇପାରେ ବୋଲି ସେ କହିଛନ୍ତି । 

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ୱେଷ୍ଟର୍ଣ୍ଣ ଡିର୍ଷ୍ଟବାନ୍ସେସ୍‌  ବା ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଏବେ ରାତି  ତାପମାତ୍ରା ଅଧିକ ରହୁଛି । ଉତ୍ତର ପଶ୍ଚିମ ଭାରତରୁ  ଏହି ବାୟୁ ପ୍ରବାହିତ ହେଉଛି । ଏହି ବାୟୁପ୍ରବାହ  ହେବା ଆଗରୁ ଶୀତ କମିଯାଏ । ପୁଣି ବାୟୁମଣ୍ଡଳ  ଉପରେ ଏକ ଟ୍ରଫ୍‌ ରହିଛି । ଏହା ପଶ୍ଚିମରୁ ପୂର୍ବ  ଦିଗକୁ ଗତି କରୁଛି । ଏହି ସମସ୍ତ ପ୍ରଭାବ ଯୋଗୁ  ରାଜ୍ୟରୁ ଶୀତ କମିଛି ବୋଲି ସେ କହିଛନ୍ତି । ପଶ୍ଚିମା ବାୟୁ ପ୍ରଭାବରେ ୭ ଓ ୮ ତାରିଖରେ  ରାଜ୍ୟର କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । 

୭ ତାରିଖରେ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ  ଓ ଯାଜପୁରରେ ବର୍ଷା ହୋଇପାରେ । ୮ ତାରିଖରେ  ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ  ବର୍ଷା ହେବ । କିଛି ସ୍ଥାନରେ କୁଆପଥର ବର୍ଷା  ହୋଇପାରେ ବୋଲି ଡ. ସାହୁ କହିଛନ୍ତି । ସେହିଭଳି  ୯ ତାରିଖରୁ ଥଣ୍ଡା ବଢ଼ିବ। ୧୦ ଓ ୧୧ ତାରିଖରେ  ଅଧିକ ଶୀତ ଅନୁଭୂତ ହେବ ବୋଲି ସେ କହିଛନ୍ତି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ୭ ତାରିଖରେ ଜଗତ୍‌ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା,  ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ  ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି  ଦୃଶ୍ୟମାନ ହୋଇପାରେ । ୮ ତାରିଖରେ ଗଞ୍ଜାମ,  ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି,  ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ, ନୂଆପଡ଼ା  ଓ ବଲାଙ୍ଗୀରରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୯ ତାରିଖରେ ଗଞ୍ଜାମ, ଗଜପତି, କଟକ, ନୟାଗଡ଼,  ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କେନ୍ଦୁଝର,  ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧରେ ହାଲୁକା ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଗୁରୁବାର ରାଉରରେଲା ଓ ଝାରସୁଗୁଡ଼ାକୁ ଛାଡ଼ି  ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ  ଉପରେ ଥିଲା । ଅନେକ ଜିଲ୍ଲାରେ ରାତି ତାପମାତ୍ରା  ୧୮ରୁ ୨୦ ଡିଗ୍ରୀ ଛୁଇଁଥିଲା । ରାଉରକେଲାରେ ୧୩.୩  ଓ ଝାରସୁଗୁଡ଼ାରେ ୧୪.୪ ଡିଗ୍ରୀ ସେଲସିୟସ୍‌  ରେକର୍ଡ ହୋଇଥିଲା । ସୁନ୍ଦରଗଡ଼ରେ ୧୫.୪,  ଫୁଲବାଣୀରେ ୧୫.୫, ବୌଦ୍ଧରେ ୧୬.୮,  ଭୁବନେଶ୍ୱରରେ ୧୯.୩, ତାଳଚେରରେ ୧୯.୯ ଓ  ଟିଟିଲାଗଡ଼ରେ ରାତି ତାପମାତ୍ରା ୨୧.୨ ଡିଗ୍ରୀ ରହିଛି ।