ଭୁବନେଶ୍ୱର,୧୪/୦୮: ଚିନ୍ତାରେ ଚାଷ ସ୍ଥିତି । ସପ୍ତାହକ ଭିତରେ ଅନେକ  ଅଞ୍ଚଳ ଯେମିତି ଶୁଖିଯାଇଛି । ଟାଏଁ ଟାଏଁ  ଖରା, କାଁ ଭାଁ ବର୍ଷା । ଜମିରେ ପାଣି ନାହିଁ। ଏବେ ବି ୧୧  ଜିଲ୍ଲାରେ ବର୍ଷା ନିଅଣ୍ଟିଆ ସ୍ଥିତି ରହିଛି ।  ଗତ ସପ୍ତାହକ ଭିତରେ ଆଉ ୭ ଜିଲ୍ଲା ବି  ଶୁଖିବାକୁ ବସିଲାଣି। ଯଦି ଏବେ ଭଲ ବର୍ଷା  ନ ହେବ, ଚାଷୀ ମୁଣ୍ଡରେ ଚଡ଼କ ପଡ଼ିବ । 

ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ବର୍ତ୍ତମାନର ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷ  କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହା ପ୍ରଭାବରେ ୧୬  ଯାଏ ବର୍ଷା ଲାଗି ରହିବ । ପୁଣି ୨୨/୨୩  ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା  ଅଛି । ଏହି ଡବଲ୍‌ ଲଘୁଚାପ ଭରସାରେ  ରହିଛନ୍ତି ଚାଷୀ । ଭଲ ବର୍ଷା ହେଲେ  ନିଅଣ୍ଟିଆ ସ୍ଥିତି ଦୂର ହେବା ସହ ଚାଷ  ଆଗକୁ ବଢ଼ିବ । 

ଜୁନ୍‌ ପହିଲାରୁ ଏଯାବତ୍‌ ସ୍ଥିତି  ଦେଖିଲେ, ରାଜ୍ୟର ୧୧ ଜିଲ୍ଲାରେ ବର୍ଷା  କମ୍‌ ଅଛି । ପୁରୀରେ ୪୦%, ଗଜପତିରେ  ୩୯%, ରାୟଗଡ଼ାରେ ୩୫%,  କଳାହାଣ୍ଡିରେ ୩୬%, ବଲାଙ୍ଗୀରରେ  ୨୮%, ନବରଙ୍ଗପୁରରେ ୨୫%,  ନୂଆପଡ଼ାରେ ୨୨%, ଗଞ୍ଜାମରେ ୨୮%,  ଖୋର୍ଦ୍ଧାରେ ୨୭%, ଯାଜପୁରରେ ୨୩%,  ନୟାଗଡ଼ରେ ୨୦% ବର୍ଷା ନିଅଣ୍ଟିଆ  ଅଛି । ସ୍ୱାଭାବିକଠାରୁ ୨୦% ବର୍ଷା  କମିଲେ ଏହାକୁ ନିଅଣ୍ଟିଆ କୁହାଯାଏ ।  ଏବେ କଟକରେ ସ୍ୱାଭାବିକଠାରୁ ୧୮%  କମ୍‌ ଥିବାବେଳେ କନ୍ଧମାଳରେ ୧୨%,  ଭଦ୍ରକରେ ୧୩%, ବାଲେଶ୍ୱରରେ  ୧୧%, ଜଗତସିଂହପୁରରେ ୧୦%,  ଢେଙ୍କାନାଳରେ ୧୨% କମ୍‌ ହୋଇଛି  ବର୍ଷା । ସଙ୍ଗୀନ ଚିତ୍ର ମିଳିଛି ଏଇ ସପ୍ତାହରେ। ଅଗଷ୍ଟ ୭ରୁ ୧୩ ତାରିଖ ଭିତରେ ରାଜ୍ୟରେ  ହାରାହାରି ୪୦ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ  ୫୨% କମ୍‌।

ସାରା ଓଡ଼ିଶାରେ ଏଇ ସପ୍ତାହରେ ବର୍ଷା କମ୍‌  ହୋଇଛି । ୧୧ଟି ଜିଲ୍ଲାରେ ବର୍ଷା ପରିମାଣ ୬୩%ରୁ ୮୪%  ପର୍ଯ୍ୟନ୍ତ ନିଅଣ୍ଟିଆ ରହିଛି । ଭଦ୍ରକରେ ୮୪%, କଟକରେ  ୮୩%, ସମ୍ବଲପୁରରେ ୭୯%, କଳାହାଣ୍ଡିରେ ୭୫% ବର୍ଷା କମ୍‌  ହୋଇଛି । ଏଥିରୁ ଅନୁମାନ କରାଯାଇପାରେ, ସ୍ଥିତି କେତେ ସଙ୍ଗୀନ  ହେଲାଣି । ଲଘୁଚାପ ସତ୍ତେ୍ୱ ବୁଧବାର ସନ୍ଧ୍ୟା ଭିତରେ କୋରାପୁଟରେ  ୨୪ ମିଲିମିଟର, କଟକରେ ୨୧, ଢେଙ୍କାନାଳରେ ୨୧ ମିମି  ବର୍ଷା ହୋଇଥିବାବେଳେ ବାକି ସବୁଠି ଅସରାଏ ଲେଖାଏଁ ବର୍ଷା  ହୋଇଛି । ଯଦିଓ ରାତିରେ ବର୍ଷା ବଢ଼ିବା ସମ୍ଭାବନା ଅଛି ।  

କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ହୋଇଛି । ଏହା ଉପରକୁ ଗତି କରି ୧୬ରେ ଓଡ଼ିଶା  ଉପକୂଳ ଓ ୧୯ରେ ପଶ୍ଚିମ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼  ଦେଇ ମଧ୍ୟପ୍ରଦେଶକୁ ଯିବ । ୧୪ରୁ ୧୯ ଯାଏଁ ରାଜ୍ୟରେ ଏହା  ବର୍ଷା କରାଇବ । ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା,  କଳାହାଣ୍ଡିରେ ୬ ଦିନ ଧରି ସ୍ପଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ହୋଇପାରେ । ୧୭ରୁ ୧୯ ଉପକୂଳ, ବଲାଙ୍ଗୀର,  ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ୨୨ କିମ୍ବା  ୨୩ ତାରିଖବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ  ହୋଇପାରେ । ଏହା ୨୬ ଯାଏ ଓଡ଼ିଶା ଉପକୂଳ ଓ ଆଭ୍ୟନ୍ତରୀଣ  ଅଞ୍ଚଳରେ ରହିବ । ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ଏହା  ବର୍ଷା କରାଇବ । ଅଗଷ୍ଟରେ ନିଅଣ୍ଟିଆ ସ୍ଥିତି ଦୂର ହୋଇଯିବା  ସମ୍ଭାବନା ରହିଛି । କେବଳ ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା  କମିପାରେ । ଅଗଷ୍ଟ ୧୫ରେ ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଜୟପୁରରେ ସକାଳ ବେଳା ପାଗ ଶୁଖିଲା ରହିବ ।  ଭୁବନେଶ୍ୱରରେ ସକାଳ ୧୦ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିପାରେ । ଯଦି ବର୍ଷା ହେବ, ତାହା ହାଲୁକା ହୋଇପାରେ । ମଧ୍ୟାହ୍ନରେ  ବର୍ଷାର ସମ୍ଭାବନା ଅଧିକ ।   

ପାଣିପାଗ ବିଭାଗର ଆକଳନ ହେଲା, ଗୁରୁବାର ରାଜ୍ୟର  ଅଧିକାଂଶ ସ୍ଥାନରେ ବର୍ଷା ହେବ । କୋରାପୁଟ, ମାଲକାନଗିରିରେ  ପ୍ରବଳରୁ ପ୍ରବଳତର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,  ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ରେ ପ୍ରବଳ ବର୍ଷା  ହୋଇପାରେ । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା  ଅଛି । ଏଭଳି ବର୍ଷା ୧୭ ତାରିଖ ପର୍ଯ୍ୟନ୍ତ ରହିବ ।