ଭୁବନେଶ୍ୱର,୧୩/୦୨: ରାଜ୍ୟରେ ଅସହ୍ୟ ତାତି। କଲବଲ କଲାଣି ଖରା। ବୁଧବାର ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲସିୟସ୍‌, ଭୁବନେଶ୍ବରରେ ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା। ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ପ୍ରଚଣ୍ଡ ଖରାକୁ ନେଇ ଚିନ୍ତାରେ ଜନସାଧାରଣ। ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ  ଖସିଯିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଏହାଫଳରେ  କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ  ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଚଳିତବର୍ଷ ପାଇଁ ରାଜ୍ୟରେ ପ୍ରଥମଥର ଦିନ ତାପମାତ୍ରା ୩୭  ଡିଗ୍ରୀ ସେଲସିୟସ୍‌ ଛୁଇଁଛି ।  ଝାରସୁଗୁଡ଼ାରେ ବୁଧବାର ଏହି  ସର୍ବୋଚ୍ଚ ତାପମାତ୍ରା ରେକର୍ଡ  ହୋଇଛି ।

ସୋମବାର ଦିନ ୨ଟା  ୩୦ ବେଳକୁ ଝାରସୁଗୁଡ଼ାର ଦିନ ତାପମାତ୍ରା ୩୫.୬ ଡିଗ୍ରୀ  ଥିଲା । ମଙ୍ଗଳବାର ଏହି ସମୟ  ସୁଦ୍ଧା ତାପମାତ୍ରା ୩୬ ଡିଗ୍ରୀ  ଡେଇଁ ଯାଇଥିଲା । ମଙ୍ଗଳବାର  ଝାରସୁଗୁଡ଼ା ପରେ ଭଦ୍ରକରେ ଦିନ  ତାପମାତ୍ରା ସର୍ବାଧିକ ୩୬.୨ ଡିଗ୍ରୀ  ରେକର୍ଡ ହୋଇଛି । ବଲାଙ୍ଗୀରରେ  ୩୬, ଅନୁଗୁଳରେ ୩୫.୭,  ଭବାନୀପାଟଣା ଓ ଟିଟିଲାଗଡ଼ରେ  ୩୫.୫, ସୋନପୁରରେ ୩୫.୩,  ମାଲକାନଗିରି ଓ ବରଗଡ଼ରେ  ୩୫.୨, ଭୁବନେଶ୍ୱରରେ ୩୪.୮  ଓ କଟକରେ ଦିନ ତାପମାତ୍ରା ୩୩.୨  ଡିଗ୍ରୀ ରେକର୍ଡ ହୋଇଛି । 

ସେହିଭଳି  ଫେବ୍ରୁଆରୀ ପ୍ରଥମ ସପ୍ତାହ ପରେ ବୁଧବାର ଦ୍ୱିତୀୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍‌ କରିଛି ।  ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍‌ ବା  ୧୩.୧ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ  ୧୪.୫, ଝାରସୁଗୁଡ଼ାରେ ୧୫.୬, ସୁନ୍ଦରଗଡ଼ରେ  ୧୬.୩, ଓ ଅନୁଗୁଳରେ ୧୭ ଡିଗ୍ରୀ ରହିଥିଲା ।