ଭୁବନେଶ୍ୱର, ୨୧/୧୦: ଧାନ  କଟା ସରିଥିଲା । ବିଲରେ ପଡ଼ିଥିଲା ।  ଏମିତି ବର୍ଷା ଲାଗି ରହିବ, କେହି ଭାବି  ନଥିଲେ । ଗଞ୍ଜାମ ଜିଲ୍ଲାର ସବୁ ବ୍ଲକରେ ଚାଷୀ ଜୀବନ ବିକଳରେ ବର୍ଷାରେ  ଭିଜିଭିଜି କଟା ଯାଇଥିବା ଧାନକୁ  ସୁରକ୍ଷିତ ସ୍ଥାନକୁ ବୋହି ଆଣିଲେ । କିଏ  ଖଳାକୁ ନେଲେ ତ ଆଉ କିଏ ରାସ୍ତାରେ  ପାଲ ଘୋଡ଼ାଇ ଜଗିଛନ୍ତି ।  

ଗଜପତି, ବାଲେଶ୍ୱରରେ ବି ଚାଷୀ  ମୁଣ୍ଡରେ ଚଡ଼କ ପଡ଼ିଛି । ଅଦିନିଆ  ବର୍ଷାରେ ବରବାଦ ଫସଲ । କୋରାପୁଟ,  କଳାହାଣ୍ଡି, କଟକ, ଖୋର୍ଦ୍ଧା, ନୟାଗଡ଼,  ପୁରୀ, ଜଗତସିଂହପୁର, ଯାଜପୁର,  ଭଦ୍ରକ, କନ୍ଧମାଳ, ସୋନପୁର,  ଢେଙ୍କାନାଳ, ରାୟଗଡ଼ା ସବୁଠି ଚାଷୀ  ତରବରିଆ ବର୍ଷାରେ ତିନ୍ତି ତିନ୍ତି ବିଲରୁ  ଧାନ ଉଠାଉଛି । ଅନେକ ଜାଗାରେ  ଖଳାରେ ଥିବା ଧାନରେ ବି ପାଣି ପଶିଛି ।  ଧାନ ପାଚି ଯାଇଥିବାରୁ ଅନେକ ସ୍ଥାନରେ  ଗଛ ଶୋଇ ପଡ଼ିଛି ବିଲରେ । ବର୍ଷା ଯୋଗୁ  ବିଲ ପୂରା କାଦୁଅ ପାଲଟିଯାଇଥିବାରୁ  ଧାନ ନଷ୍ଟ ହୋଇଛି ଅନେକ ସ୍ଥାନରେ ।  କେବଳ ଧାନ ନୁହେଁ, ପନିପରିବା ଫସଲ  ବି ପ୍ରଭାବିତ ହୋଇଛି । କୋବି, ବିନ,  ଟମାଟୋ ଆଦି ପନିପରିବା ନଷ୍ଟ ହେବା  ସହ ରୋଗ ପୋକ ଲାଗିବା ଆଶଙ୍କା ବଢ଼ିଛି ।  ଖାଲି ସେତିକି ନୁହେଁ, ବର୍ଷା ପାଇଁ ମଣ୍ଡିରେ  ଗଚ୍ଛିତ ଧାନ ନେଇ ବି ଚିନ୍ତା ବଢ଼ିଛି ।  

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ଆଜିଠୁ ବର୍ଷା  ପରିମାଣ କମିବ । ତଥାପି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ହାଲୁକା ବର୍ଷା ସମ୍ଭାବନା  ଅଛି । ମୁଖ୍ୟତଃ ହାଲୁକା ବଷ କିମ୍ବା ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ  ଶୁଖିଲା ରହିପାରେ । ୨୨ ତାରିଖ (ରବିବାର)ଠାରୁ ପାଗ ଶୁଖିଲା ରହିବ । ଏହାସହ  ଥଣ୍ଡା ବଢ଼ିବ । ରାତି ତାପମାତ୍ରା କ୍ରମଶଃ ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ ।  

ଗୁରୁବାରଠାରୁ ପାଗ ବଦଳିଥିଲା । ରାତିରୁ ବର୍ଷା ଆରମ୍ଭ ହୋଇଥିଲା । ମାତ୍ର  ଶୁକ୍ରବାର ପାଗ ପୂରା ବିଗିଡ଼ିଗଲା । ସୂର୍ଯ୍ୟ ଦିଶିଲେନି । ପୂରା କୋହଲା ପାଗକୁ  ଝିପିଝିପି ବର୍ଷା ଲାଗି ରହିଲା ଦିନ ତମାମ । ସନ୍ଧ୍ୟାରେ ବି ଛାଡ଼ିଲାନି । ମଝିରେ  ମଝିରେ ଅଜାଡ଼ିଦେଲା ମଧ୍ୟମ ଧରଣର ବର୍ଷା । ପୂରା କାଲୁଆ ହୋଇଗଲା  ବାତାବରଣକୁ । ଘରୁ ପଦାକୁ ବାହାରିଲେ ଥରା ଉଠିଲା । ଅଧିକାଂଶ ସ୍ଥାନରେ  ଦିନ ତାପମାତ୍ରା ୨୧ରୁ ୨୩ ଡିଗ୍ରୀ ସେଲସିୟସ୍‌ ଭିତରେ ରହିଛି । ଭୁବନେଶ୍ୱରରେ  ଦିନ ତାପମାତ୍ରା ଗୁରୁବାର ତୁଳନାରେ ୫.୭ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇଛି ।  ଏଥିରୁ ଅନୁମାନ କରାଯାଇପାରେ, ଦିନରେ କେତେ ଥଣ୍ଡା ଥିଲା ବାତାବରଣ । 

ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା  ଖୋର୍ଦ୍ଧା ସହରାଞ୍ଚଳରେ ସର୍ବାଧିକ ୪୦ ମିଲିମିଟର ବର୍ଷା ହୋଇଥିବାବେଳେ  ପାରାଦୀପରେ ୨୭.୮ ମିମି, ଭୁବନେଶ୍ୱରରେ ୧୬.୭, ନୟାଗଡ଼ରେ ୧୮,  ଜଗତସିଂହପୁରରେ ୧୮.୧, କଟକରେ ୯.୬, ରାୟଗଡ଼ାରେ ୫.୬, କୋରାପୁଟରେ  ୬.୨, ଦାରିଙ୍ଗିବାଡ଼ିରେ ୬, ଗୋପାଳପୁର ୮.୨, ପୁରୀରେ ୫.୨, ଛତ୍ରପୁରରେ  ୫ ମିମି ବର୍ଷା ହୋଇଥିବାବେଳେ ବହୁ ଜାଗାରେ ହାଲୁକା ବର୍ଷା ହୋଇଛି ।  ଏଭଳି ବର୍ଷା ଜନଜୀବନକୁ ନାକେଦମ କରିଥିବାବେଳେ ଶୁକ୍ରବାର ରାଜଧାନୀ,  କଟକ, ବ୍ରହ୍ମପୁର, ବାଲେଶ୍ୱର, ଖୋର୍ଦ୍ଧା ସମେତ ବିଭିନ୍ନ ସହରରେ ବ୍ୟବସାୟିକ  କାରବାର ପୂରା ମାନ୍ଦା ଥିଲା ।  

ଦିନ ତାପମାତ୍ରା ଓ ରାତି ତାପମାତ୍ରା ଭିତରେ ବିଶେଷ ଫରକ ନାହିଁ ।  ଅନୁଗୁଳରେ ଦିନ ତାପମାତ୍ରା ୨୧.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।  ଗୁରୁବାର ଥିଲା ୨୫.୭ । ଶୁକ୍ରବାର କଟକର ଦିନ ତାପମାତ୍ରା ୨୨, ଭୁବନେଶ୍ୱର  ୨୨.୭, ଗୋପାଳପୁର ୨୨.୩, ଛତ୍ରପୁର ୨୨, ରାୟଗଡ଼ା ୨୨, ବୌଦ୍ଧ ୨୩,  ଦାରିଙ୍ଗିବାଡ଼ି ୨୩, ତାଳଚେର ୨୩.୪, କେନ୍ଦୁଝର ୨୩.୫, ବାରିପଦା ୨୪.୨,  ଚାନ୍ଦବାଲି ୨୩.୪, ବାଲେଶ୍ୱର ୨୪ ଡିଗ୍ରର ରେକର୍ଡ ହୋଇଛି । ରାତି ତାପମାତ୍ରା  ରାଉରକେଲାରେ ୧୦.୯ ଥିବାବେଳେ ପ୍ରାୟତଃ ୧୬ ଡିଗ୍ରୀ ଉପରେ ଥିଲା । 

ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀର ବଳ । ଦକ୍ଷିଣ, ଉପକୂଳ ଏବଂ  ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ଉଜାଡ଼ି ଦେଇଛି ଫସଲ । କୃଷି ବିଭାଗ ପାଖରେ କ୍ଷୟକ୍ଷତି ସମ୍ପର୍କିତ କୌଣସି ଖବର ଏଯାବତ୍‌ ପହଞ୍ଚି ନାହିଁ । କୃଷି  ବିଭାଗ ଅଧିକାରୀ କହୁଛନ୍ତି, ଏବେ କ୍ଷୟକ୍ଷତି ନେଇ କିଛି କହି ହେବନି । ଆକଳନ ସରିଲେ ଜଣାପଡ଼ିବ ।  

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ  ୩/୪ ଦିନ ଆଗରୁ ପୂର୍ବାନୁମାନ କରିଥିଲା । ଗୁରୁବାର ରିପୋର୍ଟରେ ବି ବିସ୍ତୃତ  ଭାବେ ଆକଳନ କରାଯାଇଥିଲା । ମାତ୍ର ସମ୍ଭାବ୍ୟ ବର୍ଷା ନେଇ କୃଷି ବିଭାଗ କିମ୍ବା  ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ୱତନ୍ତ୍ର ପରାମର୍ଶ  ବା ସତର୍କତା ଜାରି କରାଯାଇନଥିଲା । ଗୁରୁବାର ଏ ନେଇ ପଚାରିବାରୁ କୃଷି  ବିଭାଗ ଅଧିକାରୀ କହିଥିଲେ, ଏସଆରସି ପରାମର୍ଶ ଜାରି କଲେ ହିଁ ଆମେ  କିଛି କହିପାରିବୁ ।  

ସରକାର ଚାଷୀଙ୍କୁ ସତର୍କ କରାଇନଥିବାରୁ ଗାଁ ଗହଳିର ଅନେକ ଚାଷୀ  ସମ୍ଭାବ୍ୟ ବର୍ଷାକୁ ନେଇ ବିଶେଷ ପ୍ରସ୍ତୁତି କରିନଥିଲେ । ଆଗୁଆ ଧାନ ଅମଳ କରି  ସୁରକ୍ଷିତ ସ୍ଥାନକୁ ଆଣିପାରିନଥିଲେ । ବିଭିନ୍ନ ସ୍ଥାନରେ ବର୍ଷା ଖବର ଆସିବା ପରେ  ଏସଆରସି କାର୍ଯ୍ୟାଳୟ ତତ୍ପରତା ଦେଖାଇଲେ । ସମସ୍ତ ଜିଲ୍ଲାପାଳ, କୃଷି ବିଭାଗ  ଏବଂ ବିଭିନ୍ନ ବିଭାଗକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ  ରୂପ ନେଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ  ରହିଛି । ଆସନ୍ତା ୨୪ ଘଣ୍ଟା ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ।  ଏହା ପ୍ରଭାବରେ ଶନିବାର ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା  ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଦକ୍ଷିଣ ଓଡ଼ିଶା ସମୁଦ୍ର ଉପକୂଳରେ  ୪୦ରୁ ୫୦ କିମି ବେଗରେ ପବନ ଓ ମଝିରେ ମଝିରେ ପବନ ଝଟକା ୬୦  କିମି ଛୁଇଁପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ  କରାଯାଇଛି । ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ ପ୍ରବଳ ବର୍ଷାରେ କିଛି  କ୍ଷୟକ୍ଷତି ହେଲେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।