ଭୁବନେଶ୍ୱର,୧୬/୦୬: ସୋମବାର ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । ଏଥିପାଇଁ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼,  ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର  ମଧ୍ୟ ଏହି ସବୁ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । 

ଏବେ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ  ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର  ପାଇଁ ପାଗ ଅନୁକୁଳ ରହିଛି । ତେବେ ୧୮ ଦିନ ଧରି ମୌସୁମୀ ଅଟକି ରହିଥିବା  ବେଳେ ଆଗାମୀ ୨୪ ଘଣ୍ଟାରେ ଏହା ପୁଣି ସକ୍ରିୟ ହେବ ବୋଲି ପାଣିପାଗ  ବିଶେଷଜ୍ଞ ଆକଳନ କରିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,  ସୋମବାର ସମ୍ବଲପୁର, ଦେବଗଡ଼, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ,  ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିରରେ ଅଧିକ  ବର୍ଷା ହୋଇପାରେ । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ,  ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି ।