ଭୁବନେଶ୍ୱର,୨୩/୧୨: ଗତ ଦୁଇ ଦିନ ତଳେ ବର୍ଷା ହୋଇ ବହୁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଆଗକୁ ପୁଣି ବର୍ଷା ଆସୁଛି । ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ହୋଇପାରେ । ୨୪ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ୨୫ ତାରିଖରେ ବି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୫ରେ ୫ଟି ଜିଲ୍ଲାରେ ଭାରୀ ବର୍ଷା  ହୋଇପାରେ ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ  ଅନୁସାରେ, ବାୟୁମଣ୍ଡଳରେ ପବନର  ଦିଗ ପରିବର୍ତ୍ତନ ଯୋଗୁ ୨୪ ଓ  ୨୫ରେ ବର୍ଷା ହେବ । ୨୪ରେ ରାୟଗଡ଼ା, ଗଜପତି, ଗଞ୍ଜାମ,  ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର,  କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ,  ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । ୨୫ରେ ଉପକୂଳ ଓଡ଼ିଶାର  କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । 

ପ୍ରଫେସର  ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ଏବେ  ଅବପାତ ସକ୍ରିୟ ରହିଛି । ରବିବାର ସନ୍ଧ୍ୟା ବେଳକୁ  ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଉପକୂଳରୁ  ଦୂରରେ ସମୁଦ୍ର ଭିତରେ ଥିଲା । ପବନର ଗତି  ପରିବର୍ତ୍ତନ ପରେ ଏହାର ବିସ୍ତୃତି ବଢ଼ିଛି । ଏହାର  ଅବସ୍ଥିତି କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଯାଏ  ରହିବ । ଏହାର ପ୍ରଭାବରେ ରାଜ୍ୟରେ ୨୪ ଓ ୨୫  ତାରିଖରେ ବର୍ଷା ହେବ । ୨୪ ତାରିଖରେ ଉପକୂଳ  ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।  ବାଲେଶ୍ୱରରୁ ଗଞ୍ଜାମ ଯାଏ ସମସ୍ତ ଉପକୂଳ ଓ  ସଂଲଗ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ୨୫ରେ  ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ  ନୟାଗଡ଼ରେ ମଧ୍ୟମରୁ ଭାରୀ ବର୍ଷା ହେବ। ସମୁଦ୍ର  ସଂଲଗ୍ନ ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ ବୋଲି  ସେ କହିଛନ୍ତି । 

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଓଡ଼ିଶା  ଉପକୂଳରେ ବଙ୍ଗୋପସାଗର ଉପରେ ସୋମବାର ସନ୍ଧ୍ୟାରେ ଏକ ଗୁରୁଚାପ ରହିବ । ଏହା ପ୍ରଭାବରେ ରାଜ୍ୟରେ ୨୪ ତାରିଖରେ ବର୍ଷା ହୋଇପାରେ ।  ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,  ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ  ଢେଙ୍କାନାଳରେ ବର୍ଷା ସମ୍ଭାବନା ଅଛି । ତେବେ ୩୧ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା ଖସିବା ସହ  ଥଣ୍ଡା ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

ସିମିଳିଗୁଡ଼ାରେ ରାତି ତାପମାତ୍ରା ୧୦.୬ ଡିଗ୍ରୀ  ସେଲସିୟସ୍‌ ଥିଲା । କୋରାପୁଟ ଓ ନୟାଗଡ଼ରେ  ପାରଦ ୧୧.୫, ନୂଆପଡ଼ାରେ ୧୨, ଭଦ୍ରକରେ ୧୩,  ଜଗତସିଂହପୁରରେ ୧୩.୬, ଦାରିଙ୍ଗିବାଡ଼ିରେ ୧୩.୫,  କେନ୍ଦ୍ରାପଡ଼ାରେ ୧୪, ଝାରସୁଗୁଡ଼ାରେ ୧୪.୮ ଓ ଭବାନୀପାଟଣାରେ ୧୪.୯ ଡିଗ୍ରୀ ରେକର୍ଡ ହୋଇଛି ।