ଭୁବନେଶ୍ୱର,୧୦/୦୬:  ଆସନ୍ତା ୧୨ ତାରିଖରୁ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପାରେ । ଦକ୍ଷିଣ  ଭାରତର ରାଜ୍ୟଗୁଡ଼ିକରେ ମୌସୁମୀ ସକ୍ରିୟ ହେବା ସହ କର୍ଣ୍ଣାଟକ ଓ  କୋଙ୍କଣ-ଗୋଆରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ୧୨  ପରେ ଓଡ଼ିଶାରେ ବି ମୌସୁମୀ ବର୍ଷା  ଆରମ୍ଭ ହୋଇଯିବ ବୋଲି ପାଣିପାଗ  ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । 

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ  ଆକଳନ କହୁଛି, ଘୂର୍ଣ୍ଣିବଳୟ  ପ୍ରଭାବରେ ୧୩ ଯାଏ ରାଜ୍ୟର  ବିଭିନ୍ନ ସ୍ଥାନରେ ବର୍ଷା ହେବ । ଦକ୍ଷିଣ  ଓଡ଼ିଶା ଓ ଉପକୂଳ ଓଡ଼ିଶା ସମେତ  ଅନ୍ୟ ସ୍ଥାନରେ ବର୍ଷା ହୋଇପାରେ । ତେବେ ୧୨ ତାରିଖ ପରେ ମୌସୁମୀ  ପୁଣି ସକ୍ରିୟ ହେବା ସହ ବର୍ଷା ଆରମ୍ଭ  ହୋଇଯିବ । ୧୬ ଓ ୧୭ ତାରିଖରେ  ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା  ବୋଲି ସେ କହିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ  ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପର ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ମଙ୍ଗଳବାର  ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ କନ୍ଧମାଳରେ ଘଡ଼ଘଡ଼ି ସହିତ ଅଧିକ ବର୍ଷା  ସମ୍ଭାବନା ଅଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି,  କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । 

୧୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର,  ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ  ବର୍ଷା ସମ୍ଭାବନା ଅଛି । ୧୨, ୧୩, ୧୪ ଓ ୧୫ ତାରିଖରେ ଉତ୍ତର ଓ ଦକ୍ଷିଣ  ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।