ଭୁବନେଶ୍ୱର,୧୯/୧୨: ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଗୁରୁବାର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ  ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ଓ ୨୧ ତାରିଖରେ ବି ବର୍ଷା ହେବ । ଆସନ୍ତା ତିନି ଦିନ ଯାଏ ପୂରା ରାଜ୍ୟରେ ଦିନବେଳା ପାଗ କୋହଲା ରହିବ । ପାଣିପାଗ ବିଭାଗ ଏଭଳି  ପୂର୍ବାନୁମାନ କରିଛି । 

ଗୁରୁବାର କୋରାପୁଟ,  ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି,  କନ୍ଧମାଳ, ପୁରୀ, ଜଗତସିଂହପୁର  ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ  ଧରଣର ବର୍ଷା ସମ୍ଭାବନା ଅଛି ।  ୨୦ ତାରିଖରେ ଉପକୂଳ ଓଡ଼ିଶାର  କିଛି ଜିଲ୍ଲାରେ ବର୍ଷା ହୋଇପାରେ । ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ,  ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା  ଓ ଜଗତ୍‌ସିଂହପୁରରେ ବର୍ଷା  ସମ୍ଭାବନା ଅଛି । 

ରାଜ୍ୟରେ ରାତି ତାପମାତ୍ରା  ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ମଙ୍ଗଳବାର ରାତିରୁ ପାରଦ ଉପର ମୁହାଁ  ହୋଇଛି । ବିଭିନ୍ନ ସ୍ଥାନରେ ରାତି  ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ୍‌  ବଢ଼ିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ପାଲଟିଥିଲା । ଏଠାରେ ପାରଦ ୪.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । କିନ୍ତୁ ଗତ ୨୪ ଘଣ୍ଟାରେ  ଏଠାରେ ପାରଦ ୯.୬ ଡିଗ୍ରୀ ରହିଛି । ଦିନକରେ  ପାରଦ ପ୍ରାୟ ୫ ଡିଗ୍ରୀ ବଢ଼ିଯାଇଛି ।

ରାଉରକେଲାରେ ପାରଦ ୫.୭ ଡିଗ୍ରୀ  ଥିଲା । ବୁଧବାର ଏହା ୭.୨ଡିଗ୍ରୀରେ ପହଞ୍ଚିଛି ।  ଝାରସୁଗୁଡ଼ାରେ ୮.୨ ଡିଗ୍ରୀରୁ ୮.୬ଡିଗ୍ରୀରେ ପହଞ୍ଚିଛି । ଫୁଲବାଣୀରେ ୭.୫ ଡିଗ୍ରୀରୁ ୧୦ ଡିଗ୍ରୀକୁ  ବଢ଼ିଛି । କେନ୍ଦୁଝରରେ ୮.୯ ଡିଗ୍ରୀରୁ ୧୧.୨ ଓ  ଅନୁଗୁଳରେ ୯ ଡିଗ୍ରୀରୁ ୧୧ଡିଗ୍ରୀକୁ ବଢ଼ିଛି । ରାଜ୍ୟର  ପ୍ରାୟ ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି ।  ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିଛି । ଭୁବନେଶ୍ୱରରେ ରାତି ତାପମାତ୍ରା ୧୮.୬ ଡିଗ୍ରୀ ରହିଛି ।  

ଦିନ ତାପମାତ୍ରା ବି ସାମାନ୍ୟ କମିଛି । ଗୁରୁବାରଠାରୁ ଏହା ଆହୁରି କମିପାରେ ବୋଲି  ପାଣିପାଗ ବିଶେଷଜ୍ଞ ଶରତ ସାହୁ ଆକଳନ କରିଛନ୍ତି।  ୨୧ତାରିଖ ଯାଏ ବର୍ଷା ହେବ । ୨୦ ତାରିଖରେ କିଛି  ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ସେ  ପୂର୍ବାନୁମାନ କରିଛନ୍ତି । ସେହିଭଳି ରାତି ତାପମାତ୍ରା ୨୧  ତାରିଖ ଯାଏ ବଢ଼ିବ ବୋଲି ସେ କହିଛନ୍ତି ।