ଭୁବନେଶ୍ୱର,୨୨/୧୨ : ଚାଷୀର  ଦୁଃଖ ସରିବାର ନାଁ ଧରୁନି । ବର୍ଷା  କମିନି । ବିଲରେ ଫସଲ ଉଜୁଡ଼ି ପଡ଼ିଛି ପାଣି ଭିତରେ । ଏମିତିରେ ରବିବାରଠାରୁ  ବର୍ଷା ପ୍ରକୋପ କମିବା ନେଇ ଆକଳନ  କରାଯାଉଛି । ମାତ୍ର ଆଗକୁ ପୁଣି ବର୍ଷା ଆସିପାରେ । ଆଉ ଏକ ଆକଳନ ଅନୁସାରେ ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) କିମ୍ବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୭  କିମ୍ବା ୨୮ ତାରିଖବେଳକୁ ଓଡ଼ିଶାରେ ପୁଣି ବର୍ଷା  ହୋଇପାରେ । ଯଦି ଏ ଆକଳନ ସତ ହୁଏ, ତେବେ ଚାଷୀକୂଳ ପାଇଁ ପୁଣି ବିପଦ ବଢ଼ିପାରେ ।  

ଦୁଇ ଦିନ ହେବ ନୟାନ୍ତ କରି ଦେଲାଣି ଅଦିନିଆ ବର୍ଷା । ସିଧା ଆକ୍ରମଣ କରିଛି ଭାତ ହାଣ୍ଡିକୁ । ଦକ୍ଷିଣ ଓଡ଼ିଶା, ଉପକୂଳ  ଜିଲ୍ଲା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚାଷୀକୂଳ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ହଜାର ହଜାର ହେକ୍ଟର ଜମିରେ ବିଲରେ ପଡ଼ିଛି ପାଚିଲା ଧାନ। ବିଲରେ କଟା ହୋଇ ପଡ଼ିଥିବା ଧାନକୁ  ଦେଖି ଚାଷୀ କାନ୍ଦୁଛି । ଚିନ୍ତା ବଢ଼ିଲାଣି ଯେ ଅମଳ ଅପେକ୍ଷାରେ ଛିଡ଼ା ହୋଇଥିବା ଧାନ କେତେ ସୁରକ୍ଷିତ ରହିବ? କେମିତି ଏ ସବୁ  ଧାନ ମଣ୍ଡିକୁ ଯାଇ ବିକ୍ରି ହେବ? କେବଳ ଧାନ ନୁହେଁ, ପନିପରିବା ଚାଷ ଉପରେ ବି ମାଡ଼ ମାରିଛି ଅଦିନିଆ ବର୍ଷା ।  କୋବି, ଟମାଟୋ, ବିନ୍‌ସ ଆଦି ଫସଲ ନଷ୍ଟ  ହେବା ସହ ରୋଗ ପୋକ ମାଡ଼ିବା ଆଶଙ୍କା  ରହିଛି । 

ପାଣିପାଗ ବିଭାଗ ଅନୁସାରେ ରବିବାରଠାରୁ ବର୍ଷା କମିବ । ହେଲେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ,  ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ସୋମବାରଠାରୁ ସାରା  ରାଜ୍ୟରେ ପାଗ ଫିଟିପାରେ।

ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ପ୍ରଭାବିତ ଜିଲ୍ଲାର  ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳମାନଙ୍କ  ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ପୂଜାରୀ କହିଛନ୍ତି, ବର୍ଷା କମିବାର ୪୮  ଘଣ୍ଟାରୁ ୭୨ ଘଣ୍ଟା ଭିତରେ ଫସଲ କ୍ଷୟକ୍ଷତି  ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ  କ୍ଷତିପୂରଣ ଯୋଗାଇ ଦିଆଯିବ ।

ଅଦିନିଆ ବର୍ଷା ଯୋଗୁ ମଣ୍ଡିରେ ଗଚ୍ଛିତ ଧାନ ଭିଜି ନଷ୍ଟ ନେଇ କେତେକ ସ୍ଥାନରେ ଚାଷୀ ଆଶଙ୍କା କରୁଛନ୍ତି । ବର୍ଷାରେ ଭିଜି ଯାଇଥିବା ଧାନକୁ ସୁରକ୍ଷିତ ଭାବେ ମଣ୍ଡିକୁ ଆଣି ବିକ୍ରି କରିବା  ନେଇ ଚାଷୀ ଚିନ୍ତାରେ ଅଛନ୍ତି । ଉଭୟ ରାଜସ୍ୱ ମନ୍ତ୍ରୀ ଓ ସମବାୟ  ମନ୍ତ୍ରୀ ଏ ନେଇ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ଶ୍ରୀ  ପୂଜାରୀ କହିଛନ୍ତି, ପ୍ରତି ମଣ୍ଡିରେ ଧାନ ରଖିବାକୁ ଅସ୍ଥାୟୀ ସେଡ୍‌  କରାଯାଇଛି । ମଣ୍ଡିରେ ଧାନ ନଷ୍ଟ ହେବନି ।  

ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଧାନ ନଷ୍ଟ  ନେଇ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଭିଜିଥିବା ଧାନକୁ ଖରାରେ  ଶୁଖାଇବା ପରେ ଚାଷୀ ତାହାକୁ ମଣ୍ଡିକୁ ଆଣି ବିକ୍ରି କରିପାରିବେ ।  ଫେବ୍ରୁଆରୀ ପର୍ଯ୍ୟନ୍ତ ମଣ୍ଡି ଖୋଲା ରହିବ । ତେଣୁ କିଛି ଅସୁବିଧା  ହେବନି । ମଣ୍ଡିରେ ଗଚ୍ଛିତ ଧାନ ଓଦା ହେବା ସମ୍ଭାବନା କମ୍‌ ।  ଧାନକୁ ସୁରକ୍ଷିତ ରଖିବାକୁ ସେଡ୍‌ ବ୍ୟବସ୍ଥା ଥିବାବେଳେ ପର୍ଯ୍ୟାପ୍ତ  ପାଲ ଯୋଗାଇ ଦିଆଯାଇଛି। ଆମ ପ୍ରତିନିଧିଙ୍କ ସୂତ୍ର ଅନୁସାରେ  ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୯ ହଜାର ହେକ୍ଟର  ଧାନ ଓ ୧ ହଜାର ହେକ୍ଟର୍‌ ଅଣଧାନ ପ୍ରଭାବିତ ହୋଇଛି ।  ୭୬୮୨ ହେକ୍ଟର ଜମିରେ ଧାନ ପାଚିଥିଲେ ମଧ୍ୟ କଟାଯାଇନି ।  ୨୧୪୭ ହେକ୍ଟର ଜମିରେ ଧାନ କଟାଯାଇଥିଲେ ମଧ୍ୟ ବିଲରୁ  ଉଠିପାରିନଥିଲା । ୪୫୨ ହେକ୍ଟର ଅଣଧାନ ଫସଲ ସହ ୨୩୫  ହେକ୍ଟର ପନିପରିବା ପ୍ରଭାବିତ ହୋଇଛି । କ୍ଷୟକ୍ଷତି ହିସାବ  ପରେ ବାସ୍ତବ ଚିତ୍ର ଜଣାପଡ଼ିବ । ୨୩ ତାରିଖରୁ ଜିଲ୍ଲାରେ ମଣ୍ଡି  ଆରମ୍ଭ ହେଉଛି । ଏଭଳି ସମୟରେ ବର୍ଷା ଚିନ୍ତା ବଢ଼ାଇ ଦେଇଛି । 

ଗଜପତି ଜିଲ୍ଲାରେ ଅମଳ ଅପେକ୍ଷାରେ ଥିବା ଧାନ  ଏବେ ପାଣି ଭିତରେ ରହିଛି । ବାଲେଶ୍ୱରର ସମସ୍ତ ବ୍ଲକରେ  ଅଦିନିଆ ବର୍ଷା ଯୋଗୁ ବିଲରେ ପାଣି ଜମିଛି । ଧାନ ଚାଷକୁ  ନେଇ ଚିନ୍ତା ବଢ଼ିଛି । କଟକ ଜିଲ୍ଲାରେ ମାତ୍ର ୧୦% ଜମିରେ  ଧାନ ଅମଳ ସରିଛି । ଅଧିକାଂଶ ଜମିରେ ଧାନ କଟାଯାଇନି । ତେଣୁ ବର୍ଷାରେ ଫସଲ ପ୍ରଭାବିତ ହେବା ଆଶଙ୍କା ବଢ଼ିଛି ।  ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ,  ନୟାଗଡ଼, ଖୋର୍ଦ୍ଧାରେ ବି ପାଚିଲା ଧାନକୁ ଉଜାଡ଼ିଛି ଅଦିନିଆ  ବର୍ଷା । ନୂଆପଡ଼ା, ଝାରସୁଗୁଡ଼ା ଆଦି ଜିଲ୍ଲାରେ ମଣ୍ଡିରେ ଥିବା ଧାନକୁ ନେଇ ଚାଷୀ ଚିନ୍ତିତ । କଟ୍‌ନି ଛଟ୍‌ନି ହେଉ ପଛେ ଓଦା  ଧାନକୁ ସରକାର କିଣି ନିଅନ୍ତୁ ବୋଲି ଅନେକ ଚାଷୀ ଦାବି  କରିଛନ୍ତି ଝାରସୁଗୁଡ଼ାରେ ।  

ରବିବାରଠାରୁ ବର୍ଷା କମିବା ସମ୍ଭାବନା ଥିବାବେଳେ ଆଉ  ଏକ ଭିନ୍ନ ପୂର୍ବାନୁମାନ ପୁଣି ଡରାଇଲାଣି । କୃଷି ପାଣିପାଗ  ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା  ଦୁଇଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ହୁଏତ ମେଘୁଆ ରହିପାରେ । ଡିସେମ୍ବର ୨୭ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଚଳିତ ମାସରେ ସୃଷ୍ଟି ହେବାକୁ ଥିବା ତୃତୀୟ ଘୂର୍ଣ୍ଣିବଳୟଟି କେତେ ଘନୀଭୂତ ହେବ ଓ ଏହାର ସମ୍ଭାବ୍ୟ ଗତିପଥ କ’ଣ ରହିବ, ତାହା ୨୬ ତାରିଖ  ବେଳକୁ ସ୍ପଷ୍ଟ ହେବ । 

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬  ତାରିଖବେଳକୁ ଉତ୍ତର ଭାରତକୁ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିପାରେ । ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ଏହାର  ପ୍ରଭାବ ଓଡ଼ିଶା ଉପରେ ଆସନ୍ତା ୨୮ ତାରିଖ ରାତି କିମ୍ବା ୨୯  ତାରିଖ ସକାଳରୁ ବର୍ଷା ହୋଇପାରେ । ଏହା କେତେ ପରିମାଣରେ  ବର୍ଷା କରାଇବ, ତାହା ଏବେଠାରୁ କହି ହେବନି । 

ପାଣିପାଗ ବିଭାଗ ସୂଚନା ଅନୁସାରେ ଶୁକ୍ରବାରରୁ ଶନିବାର  ସକାଳ ସୁଦ୍ଧା ରଣପୁରରେ ୧୦୮ ମିଲିମିଟର, ବେଗୁନିଆରେ  ୮୪ ମିମି, ପିପିଲି, ଜଟଣୀ, ଜଗତସିଂହପୁରର ନୂଆଗାଁରେ  ୭୫ ମିମି, ବାଣପୁରରେ ୭୦, ଗଞ୍ଜାମର ବେଲଗୁଣ୍ଠାରେ ୭୦,  କୃଷ୍ଣପ୍ରସାଦରେ ୬୭, ଗୋପରେ ୬୬, ପୁରୁଷୋତ୍ତମପୁରରେ  ୬୫, ଟାଙ୍ଗୀରେ ୬୨, ଜଗତସିଂହପୁରରେ ୬୧, ପାରାଦୀପରେ  ୬୧, ଭୁବନେଶ୍ୱରରେ ୫୧.୬, ଗୋପାଳପୁରରେ ୫୮.୬,  ପାରଳାରେ ୫୩, ଛତ୍ରପୁରରେ ୫୨, ପୁରୀରେ ୪୦ ମିମି ବର୍ଷା  ହୋଇଥିଲା । ସକାଳ ୮ଟା ୩୦ରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ  କଟକ, ଭୁବନେଶ୍ୱର, ଚାନ୍ଦବାଲି, ଗୋପାଳପୁର, ପାରାଦୀପ,  ଜଗତସିଂହପୁର, ପୁରୀ, ଛତ୍ରପୁର, ବ୍ରହ୍ମପୁର, ବାଲେଶ୍ୱର ସମେତ  ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା ।

 ଶନିବାର ଦିନ  ତାପମାତ୍ରା ପ୍ରାୟତଃ ୨୦ ଡିଗ୍ରୀ ସେଲସିୟସ୍‌ ପାଖାପାଖି ଥିଲା ।  ଶନିବାର ଦିନର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ୱରରେ ୨୦.୨,  କଟକରେ ୨୦.୫, ବାଲେଶ୍ୱରରେ ୨୦.୪, ଦାରିଙ୍ଗିବାଡ଼ିରେ ୧୮  ଡିଗ୍ରୀ ସେଲସିୟସ୍‌ ଥିଲା । ପ୍ରାୟତଃ ୨୦ରୁ ୨୨ ଡିଗ୍ରୀ ଭିତରେ  ଥିଲା ଦିନ ତାପମାତ୍ରା । ସେଥିପାଇଁ ଭୀଷଣ କାଲୁଆ ଥଣ୍ଡା ଅନୁଭୂତ  ହୋଇଥିଲା । ଘର ଭିତରେ କାନ୍ଥ, ଚଟାଣ ଥଣ୍ଡା ଲାଗୁଥିବାବେଳେ  ବାହାରେ ଥରାଇ ଦେଉଥିଲା । ରାତି ତାପମାତ୍ରା ୧୬ରୁ ୧୮  ଡିଗ୍ରୀ ଭିତରେ ଥିବାବେଳେ ଦିନ ଓ ରାତି ତାପମାତ୍ରା ଭିତରେ  ବିଶେଷ ଫରକ ରହୁନି । ଦୁଇଦିନ ପରେ ରାତି ତାପମାତ୍ରା ୨ରୁ  ୪ ଡିଗ୍ରୀ କମିପାରେ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଅବପାତ ଦୁର୍ବଳ ହେବାରେ ଲାଗିଛି । ରାତି ସୁଦ୍ଧା ଏହା  ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାକୁ ଚାଲି ଆସିଥିଲା । ୨୪ ଘଣ୍ଟା  ପରେ ଏହା ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ସମ୍ଭାବନା ଅଛି ।  ଚାଷୀଙ୍କ ଉଦ୍ଦେଶ୍ୟରେ ଡ.ପଶୁପାଳକ କହିଛନ୍ତି, ଜମିରୁ ଜଳ  ନିଷ୍କାସନ କରନ୍ତୁ । ଶୁଖିଲା ପାଗ ହେଲେ କଟା ହୋଇନଥିବା  ଧାନକୁ କାଟି ନିରାପଦ ସ୍ଥାନକୁ ଆଣନ୍ତୁ । ବର୍ତ୍ତମାନର ଅବପାତଟି  ସକ୍ରିୟ ରହିଛି, ତେଣୁ ଦୁଇଦିନ ପରେ ପାଗର ଅବସ୍ଥା ଉପରେ  ନଜର ରଖିବାକୁ ହେବ ।