ଭୁବନେଶ୍ୱର,୨୬/୧୧: ଆସନ୍ତା ବୁଧବାରଠାରୁ ରାଜ୍ୟରେ ଶୀତ  କମିପାରେ । ଅଧିକାଂଶ ସ୍ଥାନରେ ପାରଦ ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ୍‌  ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ସୋମବାର ଜି.ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଥିଲା । ଏଠାରେ  ରାତି ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ୧୦ଡିଗ୍ରୀ,  ଭବାନୀପାଟଣା ଓ ଦାରିଙ୍ଗିବାଡ଼ିରେ ୧୧, ରାଉରକେଲାରେ ୧୧.୨,  ଝାରସୁଗୁଡ଼ାରେ ୧୧.୫, ସୁନ୍ଦରଗଡ଼, ବଲାଙ୍ଗିର ଓ କୋରାପୁଟରେ ୧୧.୮,  ନବରଙ୍ଗପୁରରେ ୧୨.୫, ଅନୁଗୁଳରେ ୧୩, ବୌଦ୍ଧରେ ୧୩.୫, କେନ୍ଦୁଝରରେ  ୧୩.୫ ଓ ଭଦ୍ରକରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

ଫୁଲବାଣୀ ଓ ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି ।  ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା । ସୁନ୍ଦରଗଡ଼  ଓ କୋରାପୁଟରେ ସ୍ୱଳ୍ପ କୁହୁଡ଼ି ଦିଶିଥିଲା । 

ଆସନ୍ତା ଦୁଇ ଦିନ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି  ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।