ଭୁବନେଶ୍ୱର,୧୨/୧୨: ଦୁଇ ସପ୍ତାହ ପରେ ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଦିନକରେ ୧୩ଟି  ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଆସିଛି । କେନ୍ଦୁଝର ଓ ଅନୁଗୁଳରେ ରାତି  ତାପମାତ୍ରା ଦିନକରେ ସର୍ବାଧିକ ୫  ଡିଗ୍ରୀ କମିଛି । ଝାରସୁଗୁଡ଼ା ସବୁଠୁ  ଥଣ୍ଡା ସହର ପାଲଟିଛି । 

ମଙ୍ଗଳବାର ଝାରସୁଗୁଡ଼ାର ରାତି  ତାପମାତ୍ରା ସର୍ବନିମ୍ନ ୧୦.୮ ଡିଗ୍ରୀ  ରହିଥିଲା । ସୋମବାର ଏଠାରେ  ରାତି ତାପମାତ୍ରା ୧୫.୨ ଡିଗ୍ରୀ ଥିଲା ।  କିନ୍ତୁ ୨୪ ଘଣ୍ଟାରେ ପାରଦ ପ୍ରାୟ  ୪ ଡିଗ୍ରୀ ଖସିଯାଇଛି । କେନ୍ଦୁଝରରେ  ରାତି ତାପମାତ୍ରା ୧୨.୪ ଡିଗ୍ରୀ ରହିଛି ।  ୨୪ ଘଣ୍ଟା ତଳେ ଏଠାରେ ତାପମାତ୍ରା  ୧୭.୨ ଡିଗ୍ରୀ ଥିଲା । ଦିନକରେ  ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କମିଛି । 

କୋରାପୁଟରେ ରାତି  ତାପମାତ୍ରା ୧୨.୬ ଡିଗ୍ରୀ ରହିଛି ।  ଭବାନୀପାଟଣାରେ ୧୩.୧ ଡିଗ୍ରୀ  ରେକର୍ଡ ହୋଇଛି । ୨୪ ଘଣ୍ଟା  ତଳେ ଏଠାରେ ରାତି ତାପମାତ୍ରା  ୧୭ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ  ୧୬ଡିଗ୍ରୀରୁ ଖସି ୧୩.୫ଡିଗ୍ରୀ ରହିଛି । ଅନୁଗୁଳରେ ଦିନକରେ ୫ ଡିଗ୍ରୀ କମିଛି । ସୁନ୍ଦରଗଡ଼ ଓ ଫୁଲବାଣୀରେ  ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ  ହୋଇଛି । ହୀରାକୁଦରେ ୧୪.୭,  ତାଳଚେରରେ ୧୪.୮ ସୋନପୁରରେ ୧୫, ରାୟଗଡ଼ା ଓ ନୂଆପଡ଼ାରେ ୧୫.୪, ବୌଦ୍ଧ ଓ  କଟକରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । 

ରାଜଧାନୀ ଭୁବନେଶ୍ୱରରେ  ରାତି ତାପମାତ୍ରା ଦିନକରେ ୩ ଡିଗ୍ରୀ କମିଥିଲେ ବି ୧୮.୨ ଡିଗ୍ରୀ ରହିଥିଲା ।  ତେବେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।