ଭୁବନେଶ୍ୱର,୨୧।୦୬: ସବୁଠି ତାତି ଖସିଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୪ରୁ ୩୫ ଡିଗ୍ରୀ ତଳକୁ ଖସି ଆସିଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ତାପମାତ୍ରା କମିଛି । ରବିବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି ।

ରବିବାର ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ଘଡଘଡି ଓ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୨, ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ହୀରାକୁଦରେ ୪୧ଡିଗ୍ରୀ, ବୌଦ୍ଧରେ ୪୦.୮, ସମ୍ବଲପୁରରେ ୪୦.୬ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଦାରିଙ୍ଗବାଡ଼ି ଓ ନୟାଗଡ଼ରେ ସବୁଠୁ କମ୍‌ ବା ୩୦ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ବାକି ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ- NEET UG ପୁନଃ ପରୀକ୍ଷା; ୨୨ ଲକ୍ଷ ୭୯ ହଜାର ପିଲା ଦେବେ ଏକ୍ସଜାମ୍, NTAର ଲିକ୍ ପ୍ରୁଫ୍ ପ୍ରସ୍ତୁତି