ଭୁବନେଶ୍ୱର, ୨୮/୦୨: ରାଜ୍ୟରେ ପାଗ ଏବେ ଶୁଖିଲା ରହିବ । ଦୁଇଦିନ ପରେ ଦିନ ଓ ରାତି ତାପମାତ୍ରା ଧୀରେଧୀରେ ବଢ଼ିବା ସମ୍ଭାବନା ଅଛି । ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନ ଓ ରାତି ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ରାଜ୍ୟରେ ଖରା ବଢ଼ିବା ଆରମ୍ଭ ହୋଇଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ସେଲସିସ ପାଖାପାଖି ରହିଛି । ୬ଟି ସ୍ଥାନରେ ପାରଦ ୩୪ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି । ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୩୬ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ୩୫.୬, ସମ୍ବଲପୁର ୩୫.୩, ଟିଟିଲାଗଡ଼ ୩୫.୫, ନବରଙ୍ଗପୁର ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା ।
ରାଜ୍ୟର ୧୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିପାରେ । ମାର୍ଚ୍ଚ ୬ରୁ ୧୨ ତାରିଖ ଭିତରେ ପୂର୍ବ ଭାରତର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ଏଭଳି ହେଲେ ଓଡ଼ିଶାରେ ବି ଦିନର ତାପମାତ୍ରା ଅଧିକ ରହିପାରେ ।