ମୁମ୍ବାଇ,୧୧/୧୨: ବଲିଉଡ଼ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ । ଏନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ମୁସ୍ତାକ ଖାନଙ୍କ ବ୍ୟବସାୟିକ ସହଯୋଗୀ ଶିବମ ଯାଦବ ଦେଇଛନ୍ତି ସୂଚନା । ତେବେ ଏହି ମାମଲାରେ ବିଜନୋର ପୋଲିସ ଅପହରଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ନଭେମ୍ବର ୨୦ରେ ଫିଲ୍ମ କଳାକାର ମୁସ୍ତାକ ଖାନଙ୍କୁ ଦିଲ୍ଲୀ-ମେରଟ ରାଜପଥରୁ ଅପହରଣ କରାଯାଇଥିବା କୁହାଯାଉଛି। ତାଙ୍କୁ ନଭେମ୍ବରରେ ମେରୁଟରେ ଏକ ପୁରସ୍କାର ଶୋ' ପାଇଁ ମୁସ୍ତାକ ଖାନଙ୍କୁ ଡକାଯାଇଥିଲା । ଏଥିପାଇଁ ତାଙ୍କୁ ଆଡଭାନ୍ସ ରାଶି ମଧ୍ୟ ଦିଆଯାଇଥିଲା । ହେଲେ ଯେତେବେଳେ ମୁସ୍ତାକ ଖାନ ଦିଲ୍ଲୀରେ ପହଞ୍ଚିଲେ ସେତେବେଳେ ତାଙ୍କୁ ଏକ କାରରେ ବସିବାକୁ କୁହାଯାଇଥିଲା । ମେରୁଟ ଯିବା ପରିବର୍ତ୍ତେ ଅଭିନେତାଙ୍କୁ ଦିଲ୍ଲୀ ଉପକଣ୍ଠରେ ଥିବା ବିଜନୋର ନିକଟ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା । ଅପହରଣକାରୀମାନେ ତାଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ବନ୍ଧକ ରଖିଥିଲେ । ସେମାନେ ସେମାନଙ୍କୁ ନିର୍ଯାତନା ଦେଇ ୧କୋଟି ଦେବାକୁ ଦାବି କରିଥିଲେ । ହେଲେ ମୁସ୍ତାକ ଖାନ ବନ୍ଧକ ଥିବା ସ୍ଥାନରେ ମସଜିଦ୍ ଥିବା ଜାଣିଥିଲେ । ଯାହାପରେ ଅପରହରଣ ପରଦିନ ସକାଳୁ ସେଠାରୁ ଦୌଡ଼ି ପଳାଇ ସେଠାକାର ଲୋକଙ୍କ ସାହାଯ୍ୟ ଲୋଡ଼ିଥିଲେ । ଏଥିସହ ପୋଲିସ ସହାୟତାରେ ଘରକୁ ଫେରିଥିଲେ ବୋଲି ତାଙ୍କ ସହଯୋଗୀ ଶିବମ୍ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁସ୍ତାକ ସାର୍ ଏବଂ ତାଙ୍କ ପରିବାର ସେମାନଙ୍କ ସହିତ ଘଟିଥିବା ଘଟଣାକୁ ସଂପୂର୍ଣ୍ଣ ଭୟଭୀତ କରିଥିଲେ । ତଥାପି, ସେ ସର୍ବଦା ନିଶ୍ଚିତ ଥିଲେ ଯେ ସେ ନିଜକୁ ନିୟନ୍ତ୍ରଣ କରିବା ପରେ ଏକ ମାମଲା ରୁଜୁ କରିବେ ବୋଲି ।ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଦଳ ଶୀଘ୍ର ଅପରାଧୀଙ୍କୁ ଧରିବ ବୋଲି ଆଶା କରାଯାଉଛି । ଅଭିନେତା ବର୍ତ୍ତମାନ ଭଲ ଥିବାବେଳେ କିଛି ଦିନ ମଧ୍ୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ବୋଲି କହିଛନ୍ତି । ପ୍ରକାଶ ଥାଉକି, ମୁସ୍ତାକ ଖାନଙ୍କ ପୂର୍ବରୁ ସୁନୀଲ ପାଲଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ଡିସେମ୍ବର ୩ରେ ସୁନୀଲ ପାଲଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା।