ନୂଆଦିଲ୍ଲୀ,୦୫/୧୨; ''ଭାରତ ନିରପେକ୍ଷ ନୁହେଁ, ସର୍ବଦା ଶାନ୍ତି ସପକ୍ଷରେ । ବିଶ୍ୱର କଲ୍ୟାଣ କେବଳ ଶାନ୍ତି ପଥରେ ହିଁ ସମ୍ଭବ । ଏକାଠି ହୋଇ ଆମକୁ ଶାନ୍ତିର ପଥ ଖୋଜିବାକୁ ପଡିବ । ଗତ କିଛି ଦିନ ଧରି ଚାଲିଥିବା ପ୍ରୟାସ ସହିତ, ମୁଁ ନିଶ୍ଚିତ ଯେ ପୁଣି ଥରେ ବିଶ୍ୱକୁ ଶାନ୍ତି ଫେରିବ । ବହୁତ ଫଳାଫଳ ସହିତ ଆଜି ଆମର ଏହି ସମିଟ୍ ଆଗକୁ ବଢୁଛି ।'' ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ହାଇଦ୍ରାବାଦ ହାଉସ୍‌ରେ ଦ୍ୱିପାକ୍ଷିକ ବୈଠକ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଅର୍ଥିକ ବୁଝାମଣା, ପ୍ରତିରକ୍ଷା ସହଯୋଗ ସମେତ ରୁଷ-ୟୁକ୍ରେନ୍ ଯୁଦ୍ଧ ଏବଂ ଆମେରିକା ଶାନ୍ତି ପ୍ରସ୍ତାବକୁ ନେଇ ମଧ୍ୟ ଆଲୋଚନା ହୋଇଛି । ସେହିପରି ୟୁକ୍ରେନରେ ଶାନ୍ତି ପ୍ରୟାସ ପ୍ରତି ଭାରତ ଯେଉଁ ଧ୍ୟାନ ଦେଉଛି ସେଥିପାଇଁ କୃତଜ୍ଞ ଥିବା କହିଛନ୍ତି ଭ୍ଲାଦିମିର ପୁଟିନ୍‌ ।

ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେତେବେଳେ ମୁଁ ବିଶ୍ୱ ନେତାମାନଙ୍କ ସହିତ ଆଲୋଚନା କରିଥିଲି, ବିସ୍ତୃତ ଆଲୋଚନାରେ, ମୁଁ ସର୍ବଦା କହିଥିଲି ଯେ, ଭାରତ ନିରପେକ୍ଷ ନୁହେଁ । ଭାରତର ଏକ ପକ୍ଷ ଅଛି ଏବଂ ସେହି ପକ୍ଷ ହେଉଛି ଶାନ୍ତିର । ଆମେ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ କରୁ ଏବଂ ଶାନ୍ତି ପାଇଁ ସମସ୍ତ ପ୍ରୟାସ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଉଛୁ । କୋଭିଡ୍ ଠାରୁ ଆଜି ପର୍ଯ୍ୟନ୍ତ, ବିଶ୍ୱ ଅନେକ ସଙ୍କଟ ଦେଇ ଗତି କରିଛି । ଆମେ ଆଶା କରୁଛୁ ଯେ ବହୁତ ଶୀଘ୍ର ବିଶ୍ୱ ଚିନ୍ତାରୁ ମୁକ୍ତ ହେବ ଏବଂ ବିଶ୍ୱ ସମ୍ପ୍ରଦାୟ ପାଇଁ ସଠିକ୍ ଦିଗରେ ଏକ ନୂତନ ଆଶା ସୃଷ୍ଟି ହେବ ।  "

ପୁଟିନ୍‌ଙ୍କ ସହ ବୈଠକ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆମର ସମିଟ୍ ଅନେକ ଫଳାଫଳ ସହିତ ଆଗକୁ ବଢୁଛି । ଆପଣଙ୍କ ଗସ୍ତ ଅତ୍ୟନ୍ତ ଐତିହାସିକ । ୨୦୦୧ରେ ଦାୟିତ୍ୱ ଗ୍ରହଣ କରି ପ୍ରଥମ ଥର ପାଇଁ ଭାରତ ଗସ୍ତ କରିବାର ୨୫ ବର୍ଷ ବିତିଗଲାଣି । ସେହି ପ୍ରଥମ ଗସ୍ତରେ ହିଁ ଏକ ରଣନୈତିକ ସହଭାଗୀତା ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପିତ ହୋଇଥିଲା । ମୁଁ ବ୍ୟକ୍ତିଗତ ଭାବରେ ଅତ୍ୟନ୍ତ ଆନନ୍ଦିତ ଯେ, ଆପଣଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମୋର ସମ୍ପର୍କ ମଧ୍ୟ ୨୫ ବର୍ଷ ପୂରଣ କରିଛି । ମୁଁ ବିଶ୍ୱାସ କରେ ଯେ ୨୦୦୧ରେ ଆପଣ ଯେଉଁ ଭୂମିକା ଗ୍ରହଣ କରିଥିଲେ ତାହା ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କ ପାଇଁ ଉଦାହରଣ । ୟୁକ୍ରେନ ସଙ୍କଟ ପରେ ଆମେ ନିରନ୍ତର ଯୋଗାଯୋଗ କରି ଆସୁଛୁ । ଜଣେ ପ୍ରକୃତ ବନ୍ଧୁ ଭାବରେ, ଆପଣ ସମୟ ସମୟରେ ଆମକୁ ସବୁ କିଛି ବିଷୟରେ ଅବଗତ କରାଇଛନ୍ତି । ମୁଁ ବିଶ୍ୱାସ କରେ ଯେ ବିଶ୍ୱାସ ସବୁଠୁ ବଡ଼ ଶକ୍ତି । "

​​​​​​​ଦ୍ୱିପାକ୍ଷିକ ବୈଠକୁ ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ମୋତେ ଏଠାକୁ ନିମନ୍ତ୍ର କରିଥିବାରୁ ଧନ୍ୟବାଦ । ୟୁକ୍ରେନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବହୁତ କିଛି ବିବରଣୀ ଦେଇପାରିବି । ଆମେରିକା ସହିତ ଏକ ସମ୍ଭାବ୍ୟ ଶାନ୍ତିପୂର୍ଣ୍ଣ ବିବୃତ୍ତି ଉପରେ ଆଲୋଚନା କରୁଛୁ । ଏହି ପରିସ୍ଥିତିର ସମାଧାନ ଖୋଜିବାରେ ଧ୍ୟାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ । ଆମର ଉପାୟଗୁଡ଼ିକ ଇତିହାସରେ ଗଭୀର ଭାବରେ ନିହିତ, କିନ୍ତୁ ଏହା ଶବ୍ଦ ନୁହେଁ; ଏହା ହେଉଛି ବିଷୟର ସାର, ଯାହା ବହୁତ ଗଭୀର । ଗତ କିଛି ବର୍ଷ ଧରି, ଆପଣ ଆମର ସମ୍ପର୍କକୁ ବିକଶିତ କରିବା ପାଇଁ ବହୁତ କାମ କରିଛନ୍ତି । ଆମେ ସହଯୋଗ ପାଇଁ ଅତିରିକ୍ତ କ୍ଷେତ୍ର ଖୋଲିଛୁ, ଯେଉଁଥିରେ ହାଇ-ଟେକ୍ ବିମାନ, ମହାକାଶ ଅନୁସନ୍ଧାନ ଏବଂ କୃତ୍ରିମ ବୁଦ୍ଧିମତ୍ତା ଅନ୍ତର୍ଭୁକ୍ତ। "

ହାଇଦ୍ରାବାଦ ହାଉସ୍‌ ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନ୍‌ଙ୍କ ମଧ୍ୟରେ ହୋଇଥିବା ଏହି ଦ୍ୱିପାକ୍ଷିକ ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ପ୍ରିନ୍ସିପାଲ ସେକ୍ରେଟାୀର ଅଫ୍ ପ୍ରିନ୍ସିପାଲ ଶକ୍ତିକାନ୍ତ ଦାସ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
​​​​​​​