- ବାଦୁଡି, ଘୁଷୁରୀଙ୍କଠାରୁ ଦୂରେଇ ରହିବା
- ବାଦୁଡି କାମୁଡା/ଦାଗ ଥିବା ଫଳ, ଖଜୁରୀ ରସ ପିଇବାନି
- ପଶ୍ଚିମବଙ୍ଗରୁ ଫେରୁଥିଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା
ଭୁବନେଶ୍ୱର,୧୫/୦୧: ପଶ୍ଚିମବଙ୍ଗର ପଡ଼ୋଶୀ ହେଉଛି ଓଡ଼ିଶା । ବ୍ୟବସାୟ ହେଉ ଅବା ପର୍ଯ୍ୟଟନ ସବୁଦିନ ପଶ୍ଚିମବଙ୍ଗରୁ ଲୋକେ ଓଡ଼ିଶାକୁ ଆସୁଛନ୍ତି । ଭୁବନେଶ୍ୱର ଏମ୍ସକୁ ବି ପ୍ରତିଦିନ ଶହେରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଗଳାବାଟ ବି ଅନେକ ଅଛି । ଯେଉଁ ରାସ୍ତାରେ ଫେରିବାଲାମାନେ ଓଡ଼ିଶା ଆସି ବିକ୍ରିବଟା କରିଥାନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଯାଞ୍ଚ କରିବ କିଏ? ରେଳଷ୍ଟେସନଠୁ ନେଇ ବସଷ୍ଟାଣ୍ଡ ଓ ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ଆଗୁଆ ସ୍କ୍ରିନିଂ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ନହେଲେ ରୋଗ ବ୍ୟାପିଯିବାର ଆଶଙ୍କା ରହିଛି, କିନ୍ତୁ କରୋନା ଭଳି ସ୍ଥିତି ଉପୁଜିବନି ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ର ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି ।
ସେ କହିଛନ୍ତି, ଏହା ଏକ ଡ୍ରପଲେଟ୍ (କାଶ, ଛିଙ୍କ ଜରିଆରେ) ସଂକ୍ରମଣ । ଯାହା ଭୂତାଣୁ ଦ୍ୱାରା ବ୍ୟାପେ । ବାଦୁଡି ଓ ଘୁଷୁରି ଭଳି ପ୍ରାଣୀ ହିଁ ନିପା ଭୂତାଣୁର ବାହକ । ସେଥିପାଇଁ ଏହାକୁ ଜୁନୋଟିକ୍ ରୋଗ ବୋଲି କୁହାଯାଏ । ବାଦୁଡି କାମୁଡିଥିବା ଫଳ, ତାଜା ଖଜୁରୀ ରସ ଖାଇଲେ ଓ ସଂକ୍ରମିତ ମଣିଷଠୁ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ । ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ବ୍ରେନ୍ ସଂକ୍ରମଣ ଯୋଗୁ ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ରହିଛି । ଯଦି ପଶ୍ଚିମବଙ୍ଗରୁ ଆସିବା ପରେ ଅସୁସ୍ଥ ଅନୁଭବ କରୁଛନ୍ତି, ସଙ୍ଗେସଙ୍ଗେ ପିସିଆର ଟେଷ୍ଟ କରିନେବା ଦରକାର । ଯଦି ଭୂତାଣୁ ଚିହ୍ନଟ ହେଉଛି ତେବେ ସଙ୍ଗରୋଧରେ ରହିବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି।