ନୂଆଦିଲ୍ଲୀ ୧୧/୦୮: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପଶ୍ଚିମ ତୁର୍କୀ ବାଲିକେସିର ପ୍ରଦେଶ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ। ଭୂକମ୍ପ ଝଟକାରେ ବଡ଼ ବଡ଼ ବିଲ୍ଡିଂ ଭାଙ୍ଗି ଯାଇଥିବା ସୂଚନା ମିଳିଛି।  ଜଣେ ୮୧ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ତେବେ କ୍ଷୟକ୍ଷତି ନେଇ ସଷ୍ଟ ସୂଚନା ମିଳିପାରିନାହିଁ।  ଉଦ୍ଧାରକାରୀ ଟିମ୍ ଏବଂ ସେନା ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି। ଭୂକମ୍ପ ପରେ ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ ଓ ଗୃହମନ୍ତ୍ରୀ ଅଲି ୟେରଲିକାୟା ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (AFAD) ଅନୁଯାୟୀ, ସ୍ଥାନୀୟ ସମୟ ସନ୍ଧ୍ୟା ୭.୫୩ (IST ରାତି ୧୦.୨୩) ରେ ଏହି ଭୂମିକମ୍ପ ରେକର୍ଡ କରାଯାଇଥିଲା। ଭୂକମ୍ପର ଝଟକା ଯୋଗୁଁ ୧୬ଟି କୋଠାବାଡି ଭାଙ୍ଗି ପଡ଼ିଛି ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଲୋକ ଆହତ ହୋଇଛନ୍ତି।

କେନ୍ଦ୍ରସ୍ଥଳ ବାଲିକେସିରରୁ ପ୍ରାୟ ୫୧ କିଲୋମିଟର ଦକ୍ଷିଣପୂର୍ବ, ବୁର୍ସାର ୧୨୮ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ଇସ୍ତାନବୁଲର ୨୦୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା। ପ୍ରାୟ ୧୦-୧୧ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା।