ନୂଆଦିଲ୍ଲୀ,୨।୬: ସାରା ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। କିନ୍ତୁ ଏକ୍ସପର୍ଟଙ୍କ କହିବା ଅନୁସାରେ, ଭାରତକୁ କୌଣସି ବଡ଼ ବିପଦ ନାହିଁ।ଭାଇରସ୍ ସଂକ୍ରମିତଙ୍କ ଭିତରେ ଫ୍ଲୁ ଭଳି ଲକ୍ଷଣ ଦେଖାଦେବ। ହେଲେ ଏହା ଘାତକ ହେବନି। ଏହାର କାରଣ ହେଉଛି ଦେଶରେ ଲୋକଙ୍କ ଦେହରେ ‘ଆକ୍ବାୟର୍ଡ ଇମ୍ୟୁନିଟି’ ତିଆରି ହୋଇସାରିଛି। କରୋନାରେ ସଂକ୍ରମିତ ହେଲେ ବି ରୋଗୀ ଉପରେ ବିଶେଷ ପ୍ରଭାବ ପଡିବନି।
କରୋନାକୁ ହେଲେ ବି ଭାରତୀୟଙ୍କୁ ବିଶେଷ ବିପଦ ନାହିଁ। ଏଭଳି କିଛି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ବାମୀନାଥନ। ସେ କହିଛନ୍ତି ଭାରତୀୟଙ୍କ ଭିତରେ ‘ଆକ୍ବାୟର୍ଡ ଇମ୍ୟୁନିଟି’ ଆସିସାରିଛି। ତେଣୁ କୋଭିଡ୍-୧୯କୁ ଡରିବାର କୌଣସି କାରଣ ନାହିଁ। ତେବେ ଏହି ‘ଆକ୍ବାୟର୍ଡ ଇମ୍ୟୁନିଟି’ କ’ଣ ତାହା ଆସନ୍ତୁ ଜାଣିବା। ଏହା ଏଭଳି ଏକ ଇମନ୍ୟୁଟି ବା ରୋଗ ପ୍ରତିରୋଧକ କ୍ଷମତା ଯାହାକି ସଂକ୍ରମଣ କିମ୍ବା ଭ୍ୟାକସିନ୍ରୁ ମିଳିଥାଏ। ଏହା ଆମ ଶରୀରର ସ୍ବତନ୍ତ୍ର ସୁରକ୍ଷାତନ୍ତ୍ର। ଯାହାଦ୍ବାରା କୌଣସି ଭାଇରସ୍ କିମ୍ବା ବ୍ୟାକ୍ଟେରିଆକୁ ଚିହ୍ନଟ କରି ତା ବିରୋଧରେ ଲଢେଇ କରିଥାଏ। ଏହି ପକ୍ରିୟାରେ ଶରୀରରେ ଆଣ୍ଟିବଡି ଓ ମେମୋରି ସେଲ୍ ତିଆରି ହୋଇଥାଏ। ଯାହାକି ଭବିଷ୍ୟତରେ କୋଭିଡ୍ ସଂକ୍ରମଣ ବିରୋଧରେ ଲଢିବାରେ ସାହାଯ୍ୟ କରିଥାଏ।
ଭାରତରେ ଗତ ୫ ବର୍ଷରେ ବହୁବାର କରୋନାରେ ଲୋକେ ସଂକ୍ରମିତ ହୋଇଛନ୍ତି। ଅଧିକାଂଶ ଲୋକ ଭ୍ୟାକସିନ୍ ବି ନେଇସାରିଛନ୍ତି। ଏହାଦ୍ବାରା ଲୋକଙ୍କ ଭିତରେ ‘ଆକ୍ବାୟର୍ଡ ଇମ୍ୟୁନିଟି’ ତିଆରି ହୋଇସାରିଛି। ଯେଉଁ ଲୋକଙ୍କୁ ପୂର୍ବରୁ କରୋନା ହୋଇଛି ଏବଂ ସେମାନେ ଠିକ୍ ହୋଇସାରିଛନ୍ତି। ସେମାନଙ୍କ ଶରୀରରେ ପ୍ରାକୃତିକ ଭାବରେ ‘ଆକ୍ବାୟର୍ଡ ଇମ୍ୟୁନିଟି’ ବିକଶିତ ହୋଇସାରିଛି। ଏଥିରେ ଦ୍ବିତୀୟ ଥର ସଂକ୍ରମଣର ବିପଦ କମ୍ ରହିଥାଏ। ପ୍ରତି ବର୍ଷ ଲୋକ ଭାଇରସ୍ରେ ସଂକମିତ ହେଉଛନ୍ତି। ଏଭଳି ସ୍ଥିତିରେ ଇମ୍ୟୁନିଟି ମଜବୁତ ହୋଇସାରିଛି। ଏକ ବଡ଼ ଜନସଂଖ୍ୟା ଥିବା ଦେଶରେ ‘ଆକ୍ବାୟର୍ଡ ଇମ୍ୟୁନିଟି’ ତିଆରି ହେଲେ ଭାଇରସ୍ ବ୍ୟାପିବା ହ୍ରାସ ପାଏ। ଏହାଦ୍ବାରା ଲୋକ ସଂକ୍ରମିତ ହେଲେ ବି କୌଣସି ଗମ୍ଭୀର ପ୍ରଭାବ ପଡିନଥାଏ। ତେବେ ଗର୍ଭବତୀ ମହିଳା, ଛୋଟ ଶିଶୁ ଓ ବୟସ୍କଙ୍କୁ ସତର୍କ ରହିବା ଦରକାର।