ନୂଆଦିଲ୍ଲୀ,୨୭।୧୦: ବହୁ ବର୍ଷ ଧରି ଭାରତୀୟ ଟ୍ୟାକ୍ସି ବଜାରରେ କିଛି ଆପ୍-ଆଧାରିତ ଘରୋଇ କମ୍ପାନୀ ଚାଲିଛି। ଯାତ୍ରୀଙ୍କ ପାଖରେ ବିକଳ୍ପ କମ୍ ଥିଲା ଓ ଡ୍ରାଇଭରଙ୍କ ପାଇଁ ଲାଭର ପରିସର ଆହୁରି କମ୍ ଥିଲା। କିନ୍ତୁ ଏବେ ସ୍ଥିତି ବଦଳିବାକୁ ଯାଉଛି। କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମରେ ଦେଶର ପ୍ରଥମ ସହକାରୀ ଟ୍ୟାକ୍ସି ସେବା ଲଞ୍ଚ କରିଛନ୍ତି। ଯାହାକି ସିଧା ସଳଖ ଭାବରେ ଓଲା ଓ ଉବେର ଭଳି କମ୍ପାନୀକୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ।
ଏହି ପଦକ୍ଷେପ କେନ୍ଦ୍ରୀୟ ସହକାରିତା ମନ୍ତ୍ରଣାଳୟ ଓ ନ୍ୟାସନାଲ ଇ-ଗର୍ଭନେନ୍ସ ଡିଭିଜନ୍ (NeGD) ମିଳିତ ଚେଷ୍ଟାରେ ତିଆରି କରାଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁସାରେ NeGD ଓ ସହକାରୀ ଟ୍ୟାକ୍ସି କୋ-ଅପରେଟିଭ ଲିଭିଟେଡ୍-ଭାରତର ଟ୍ୟାକ୍ସି ଏକ ଏମ୍ଓୟୁ ସ୍ବାକ୍ଷର କରିଛି। ଏହି ଯୋଜନାର ଉଦେଶ୍ୟ ଡ୍ରାଇଭରକୁ ତାଙ୍କ ଆୟର ସମ୍ପୂର୍ଣ୍ଣ ମାଲିକାନା ପ୍ରଦାନ କରିବା। ଏହା ସହ ଯାତ୍ରୀଙ୍କୁ ଭରସାଯୋଗ୍ୟ ଓ ସରକାରଙ୍କ ନୀରିକ୍ଷଣରେ ସେବା ପ୍ରଦାନ କରିବା। ଏହି ଯୋଜନା ସହ ସରକାର ଯାତ୍ରୀଙ୍କୁ ଏକ ଭରସାଯୋଗ୍ୟ, ପାରଦର୍ଶୀ ଓ ସୁଲଭ ବିକଳ୍ପ ଦେବାର ଦାବି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତ ଟ୍ୟାକ୍ସି ସର୍ଭିସ କ’ଣ ?
ଘରୋଇ ଟ୍ୟାକ୍ସି ସର୍ଭିସର ମନମାନୀକୁ ରୋକିବା। କାରଣ ଗତ କିଛି ବର୍ଷ ଭିତରେ ଆପ୍ ଆଧାରିତ ଟ୍ୟାକ୍ସି ସର୍ଭିସ୍ ନେଇ ଅନେକ ଅଭିଯୋଗ ବଢିଛି। କେବେ ଗାଡିର ପରିସ୍କାର ପରିଚ୍ଛନ୍ନତା ଉପରେ ପ୍ରଶ୍ନ ଉଠିଛି ତ ଆଉ କେବେ ବଢିଥିବା ଦାମ୍। ସେଭଳି ବୁକିଂ କ୍ୟାନସେଲ ମଧ୍ୟ ହେଉଛି। ଡ୍ରାଇଭରଙ୍କ ସ୍ଥିତି ବି ଭଲ ନାହିଁ। ନିଜର ଆୟର ୨୫% ଅଂଶ କମିଶନ୍ ଭାବରେ କମ୍ପାନୀକୁ ଦେବାକୁ ପଡିଥାଏ। ଏହାକୁ ରୋକିବାକୁ କଡ଼ା ପଦକ୍ଷେପ ନିଆଯାଇଛି।
ସରକାରଙ୍କ ଲକ୍ଷ୍ୟ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତ ଟ୍ୟାକ୍ସିକୁ ସବୁ ପ୍ରମୁଖ ମେଟ୍ରୋ ସହର ସହ ସ୍ଥାପିତ କରିବା। ଏହାଛଡା ୨୦୩୦ ପର୍ଯ୍ୟନ୍ତ ଏଲକ ଲକ୍ଷ ଡ୍ରାଇଭରଙ୍କ ନେଟଓ୍ବର୍କକୁ ଯୋଡି ଜିଲ୍ଲା ମୁଖ୍ୟାଳୟ ଓ ଗ୍ରାମୀଣ କ୍ଷେତ୍ର ପର୍ଯ୍ୟନ୍ତ ପହଁଞ୍ଚିବ। ଭାରତ ଟ୍ୟାକ୍ସି କୌଣସି ଘରୋଇ କମ୍ପାନୀ ଭଳି ନୁହେଁ, ବଂର ଏକ ସହକାରୀ ଉଦ୍ୟମ ରୂପରେ କାମ କରିବ। ଏହାର ସଞ୍ଚାଳନ ‘ସହକାର ଟ୍ୟାକ୍ସି କୋ-ଅପରେଟିଭ ଲିମିଟେଡ୍’ ଦ୍ବାରା କରାଯିବ। ଏହାକୁ ଜୁନ୍ ୨୦୨୫ ରେ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହ ସ୍ଥାପିତ କରାଯାଇଥିଲା। ଏହା ଏକ ଆପ୍ ନୁହେଁ ବଂର ଡ୍ରାଇଭର ଓ ଯାତ୍ରୀଙ୍କ ଭିତରେ ଭରସାର ସେତୂ ପାଲଟିବ। ଚଳିତ ବର୍ଷ ମାର୍ଚ୍ଚରେ ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ସହକାରୀ କ୍ୟାବ୍ ସର୍ଭିସ ଆରମ୍ଭ ନେଇ ଘୋଷଣା କରିଥିଲେ।