ନୂଆଦିଲ୍ଲୀ,୧୯/୦୧: ଭେନେଜୁଏଲା ଉପରେ ଆକ୍ରମଣ । ଗ୍ରୀନଲାଣ୍ଡକୁ ଧମକ ପରେ ଧମକ । ଆଉ ଏବେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଚାନକ 'ଶାନ୍ତି' କଥା ମନେ ପଡିଛି ।  ଗାଜାରେ ଯୁଦ୍ଧ ଶେଷ ସହ ତାହାର ପୁନଃନିର୍ମାଣ, ଶାସନ ବ୍ୟବସ୍ଥା ଏବଂ ନିବେଶ ପୁଞ୍ଜି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନ୍ୟାସନାଲ କମିଟି ଫର୍ ଦ ଆଡମିନିଷ୍ଟ୍ରେସନ ଅଫ୍ ଗାଜା (ଏନ୍ସିଏଜି) ଗଠନ କରିଛନ୍ତି । ଏହି କମିଟିର ତଦାରଖ, ପାଣ୍ଠି ସଂଗ୍ରହ ଭଳି କାମ ପାଇଁ ଏକ ଶାନ୍ତି ବୋର୍ଡ ଅର୍ଥାତ୍ ‘ବୋର୍ଡ ଅଫ୍ ପିସ୍’ ଗଠନ ହୋଇଛି । ଏହା ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ । ପ୍ରକାଶିତ ରିପୋର୍ଟ ଅନୁସାରେ, ଟ୍ରମ୍ପ୍ ଏହି ବୋର୍ଡରେ ସାମିଲ ହେବା ଲାଗି ଭାରତକୁ ନିମନ୍ତ୍ରଣ ଦେଇଛନ୍ତି । ଏଥିସହ ଆମେରିକା ଏଥିପାଇଁ ପାକିସ୍ତାନକୁ ମଧ୍ୟ ଡାକିଥିବା ଶାହବାଜ ସରିଫଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି ।

କଣ ଶାନ୍ତି ବୋର୍ଡ ? ଟ୍ରମ୍ପ୍ ନିଜେ ଏହି ଶାନ୍ତି ବୋର୍ଡର ଅଧ୍ୟକ୍ଷତା କରୁଛନ୍ତି । ଏଥିସହ ଟ୍ରମ୍ପ୍ ଗାଜା ଏକ୍ଜିକ୍ୟୁଟିଭ୍ ବୋର୍ଡ ମଧ୍ୟ ବନାଇଛନ୍ତି । ଏଥିରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ, ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟ୍କଫ୍, ଟ୍ରମ୍ପ୍‌ଙ୍କ ପରାମର୍ଶଦାତା ଜେରେଡ୍ କୁସ୍ନର, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା ପ୍ରମୁଖ ରହିଛନ୍ତି । ୬୦ ଦେଶର ପ୍ରମୁଖଙ୍କୁ ଏଥିରେ ସାମିଲ ପାଇଁ ନିମନ୍ତ୍ରଣ କରାଯାଇଛି । ଇସ୍ରାଏଲ କହିବା ଅନୁସାରେ, ଟ୍ରମ୍ପ୍ ଏଥିପାଇଁ ଇସ୍ରାଏଲର କୌଣସି ଅନୁମତି ନେଇନାହାନ୍ତି ବା ଆଲୋଚନା କରିନାହାନ୍ତି । ଏହା ଇସ୍ରାଏଲର ସରକାରୀ ନୀତି ବିରୋଧୀ । ସଂଗଠନ ଗାଜା ବିବାଦ ଉପରେ ଧ୍ୟାନ ଦେବ, କିନ୍ତୁ ପରେ ଅନ୍ୟ ବିଶ୍ୱ ବିବାଦର ସମାଧାନ ପାଇଁ ଏହାକୁ ବିସ୍ତାର କରିବ । ରିପୋର୍ଟ ଅନୁଯାୟୀ, ଯଦି କୌଣସି ଦେଶ ୩ ବର୍ଷ ପରେ ବୋର୍ଡରେ ସଦସ୍ୟତା ଜାରି ରଖିବାକୁ ଚାହେଁ, ତେବେ ତାକୁ ୧ ବିଲିୟନ ଅର୍ଥାତ୍ ପ୍ରାୟ ୮, ୩୦୦ କୋଟି ଟଙ୍କା ଦେବାକୁ ପଡ଼ିବ ।

ଗାଜାରେ ପରବର୍ତ୍ତୀ ସମୟରେ କ'ଣ ହେବ?

ଏପି ରିପୋର୍ଟ ଅନୁଯାୟୀ, ବୋର୍ଡର ସଦସ୍ୟ ଦେଶଗୁଡ଼ିକ ଟ୍ରମ୍ପଙ୍କ ଅସ୍ତ୍ରବିରତି ପ୍ରସ୍ତାବର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଗାଜାରେ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ଉପରେ ନଜର ରଖିବେ। ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ:

. ଗାଜାରେ ଏକ ନୂଆ ପାଲେଷ୍ଟାଇନୀ କମିଟି ଗଠନ
. ଏକ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀର ମୁତୟନ
. ହମାସ ନିରସ୍ତ୍ର ହେବ
. ଗାଜାର ପୁନଃନିର୍ମାଣ 
. 'ପ୍ରତିଷ୍ଠାତା ସଦସ୍ୟ' ଭାବରେ ଅନ୍ତର୍ଭୁକ୍ତ ହେବେ ଦେଶ​​​​​​​​​​​​​​
​​​​​​​