ନୂଆଦିଲ୍ଲୀ,୦୫/୧୨: ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଗତକାଲି ଅର୍ଥାତ ଗୁରୁବାର ଦିଲ୍ଲୀର ପାଲମ ବିମାନବନ୍ଦରରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ତେବେ ଏହାରି ମଧ୍ୟରେ ପୁଟିନଙ୍କ ପୁପ୍ ସୁଟ୍କେସ୍ ବିଦେଶ ଯାତ୍ରା ସମୟରେ ବେଶ ଚର୍ଚ୍ଚାରେ ରହିଥାଏ । ୨୦୧୭ରେ ତାଙ୍କର ଫ୍ରାନ୍ସ ଗସ୍ତ ସମୟରେ ପ୍ରଥମେ ବିଶ୍ୱବାସୀ ଏହି ସୁଟ୍କେସ୍ର ରହସ୍ୟ ସଂପର୍କରେ ଜାଣିବାକୁ ପାଇଥିଲେ । ୨୦୧୯ରେ ସାଉଦି ଆରବ ଏବଂ ନିକଟରେ ଆମେରିକାର ଆଲାସ୍କା ଗସ୍ତ ସମୟରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା ।
ସେ ଅନୁସାରେ, ବିଦେଶ ଯାତ୍ରା ସମୟରେ ପୁଟିନ୍ ଶୌଚାଳୟରୁ ବାହାରିବା ପରେ ତାଙ୍କର ସୁରକ୍ଷାଟିମ୍ ଏକ ସ୍ୱତନ୍ତ୍ର ସୁଟକେସ୍ ନେଇ ସେଠାକୁ ଯାଇଥାନ୍ତି । ସେଥିରେ ତାଙ୍କର ମଳକୁ ସଂଗ୍ରହ କରାଯାଏ । ତାକୁ ମସ୍କୋ ଫେରାଇ ନିଆଯାଇଥାଏ । ଆୟୋଜକ ଦେଶ ଯେପରି ତାଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରିପାରିବେ ନାହିଁ ସେଥିଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଏ । କେବଳ ସେତିକି ନୁହେଁ, ବିଦେଶ ଗସ୍ତ ସମୟରେ ପୁଟିନ୍ ପାଣି ପିଉଥିବା ଗ୍ଲାସ୍, ବ୍ୟବହାର କରୁଥିବା ତଉଲିଆ, ଟିସ୍ୟୁ କିମ୍ବା ଅନ୍ୟ କିଛି ଜିନିଷକୁ ତାଙ୍କ ଟିମ୍ ତୁରନ୍ତ ଉଠାଇ ନିଅନ୍ତି । ଏପରିକି ସେ ରହୁଥିବା ହୋଟେଲ୍ର ନଳାକୁ ମଧ୍ୟ ସିଲ୍ କରିଦିଆଯାଏ ।
ପ୍ରକାଶ ଥାଉକି, ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ପୁଟିନ୍ । ଭାରତ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ଶୁକ୍ରବାର ପୁଟିନ୍ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯିବେ । ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ୧୧ଟା ୫୦ରେ ହାଇଦ୍ରାବାଦ ହାଉସ୍ରେ ମୋଦିଙ୍କୁ ଭେଟିବେ । ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବ । ଏହି ଅବସରରେ ପ୍ରତିନିଧି ସ୍ତରୀୟ ଆଲୋଚନା ମଧ୍ୟ ସାମିଲ ଅଛି ।